ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଦଳର ଷ୍ଟାର ଖେଳାଳୀ ।

1,556

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ୱହାବ ରିଆଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ୱହାବ ଏବେ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବାକୁ ମନସ୍ଥିର କରିଛନ୍ତି । ଦୀର୍ଘ ୧୫ ବର୍ଷ ହେବ ପାକିସ୍ତାନ ପାଇଁ କ୍ରିକେଟ ଖେଳି ଆସୁଥିଲେ ୱହାବ । ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି ୱହାବ । ଭାରତ ବିପକ୍ଷରେ ୱହାବ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ବିଶ୍ୱକପ ପୂର୍ବରୁ ୱହାବଙ୍କ ଅବସର ଘୋଷଣା ଭାରତୀୟ କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।
ଗତ ୩ ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ ଖେଳିନଥିଲେ ୱହାବ । ଶେଷଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚରେ ୱହାବଙ୍କ ପାକିସ୍ତାନ ଜର୍ସିରେ ଦେଖିବାକୁ ମିଳିଥିଲା । କ୍ରିକେଟ ଖେଳିବା ସହ ୱହାବ ରାଜନୀତିରେ ମଧ୍ୟ ସକ୍ରିୟ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ୱହାବ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଏକ ଅବିଶ୍ୱସନୀୟ ଯାତ୍ରା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ପିସିବି ସମେତ ପରିବାର , କୋଚ, ସାଥୀ ଖେଳାଳୀ, ପ୍ରଶଂସକ ଯେଉଁମାନେ ମୋତେ ସମର୍ଥନ କରି ଆସୁଥିଲେ ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ।