ପାକିସ୍ତାନ ବନ୍ଦ କଲା ଆଉ ଏକ ଟ୍ରେନ୍ : କରାଚୀରୁ ଯୋଧପୁର ସଂଯୋଗ କରୁଥିବା ଥର ଏକ୍ସପ୍ରେସ ଚଳାଚଳ ଉପରେ ରୋକ ଲଗାଇଲା ପଡ଼ୋଶୀ ଦେଶ 

296

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ୩୭୦ ଧାରା ଓ ୩୫ ଏ ଧାରା ଉଠିବା ପରେ ଲଗାତାର ଭାରତ ବିରୋଧରେ ଚାଲ କରୁଛି ପାକିସ୍ତାନ । ଗତକାଲି ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସକୁ ହଠାତ ବନ୍ଦ କରିବା ପରେ ଆଜି ପାକିସ୍ତାନ ଯୋଧପୁରରୁ କରାଚି ଚଳାଚଳ କରୁଥିବା ଥର ଏକ୍ସପ୍ରେସକୁ ବନ୍ଦ କରିଛି । ଏ ସଂପର୍କରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମଦ ସୂଚନା ଦେଇଛନ୍ତି । ଏହି ଟ୍ରେନଟି ପାକିସ୍ତାନ ରେଲେଓ୍ଵଜ ପକ୍ଷରୁ ଚଳାଯାଉଥିଲା । ଟ୍ରେନଟି କରାଚୀରୁ ବାହାରି ସୀମାରେ ଥିବା ପାକିସ୍ତାନୀ ଟାଉନ ଖୋକ୍ରାପାର ପର୍ଯ୍ୟନ୍ତ ଯାଉଥିଲା । ଯାତ୍ରୀମାନେ ସେଠାରେ ସୀମା ପାର କରିବାପରେ ସୀମା ଏପଟେ ଥିବା ମୁନାବାଓ ଟାଉନରୁ ଭାରତର ଲିଙ୍କ ଏକ୍ସପ୍ରେସ ଧରି ଯୋଧପୁର ଯାଆନ୍ତି ।

ଭାରତ ସରକାର ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଠାଇବା ପ୍ରତିବାଦରେ ପାକିସ୍ତାନ ପ୍ରତିଦିନ କିଛି ନା କିଛି ପଦକ୍ଷେପ ନେଉଛି । ଗତକାଲି ପାକିସ୍ତାନ ପକ୍ଷରୁ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସକୁ ବନ୍ଦ କରିଦେଇଥିଲେ । ତେବେ ପାକିସ୍ତାନର ଏହି ପଦକ୍ଷେପକୁ ଏକପାଖିଆ ବୋଲି କହି ଏହାର ପୁନର୍ବିଚାର କରିବାକୁ ଭାରତର ବୈଦେଶିକ ମନ୍ତ୍ରାଳୟ ଅନୁରୋଧ କରିଛି ।