ହାତୀ ଘଉଡ଼ାଇବା ପାଇଁ ଅନୁଗୁଳ ବନଖଣ୍ଡର ନୂଆ ଯୋଜନା ‘ଗଜବନ୍ଧୁ’: ଗ୍ରାମାଞ୍ଚଳ ଯୁବକଙ୍କୁ ପ୍ରଶିକ୍ଷଣ ଦେବେ ବନକର୍ମଚାରୀ, ମିଳିବ ପାରିଶ୍ରମିକ

364

କନକ ବ୍ୟୁରୋ : ଅନେକ ସମୟରେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥାନ୍ତି ହାତୀପଲ । ଫସଲ ଦଳିବା ସହ ଘରଦ୍ୱାର ଭାଙ୍ଗି ଦେଇଥାନ୍ତି ହାତୀ । ହାତୀ-ମଣିଷ ଲଢେଇ ଖବର ବି ଗଣମାଧ୍ୟମର ଶିରୋନାମା ପାଲଟେ । ଏହାରି ଭିତରେ ହାତୀ-ମଣିଷ ଲଢେଇରେ ଅବସାନ ଘଟେଇବା ପାଇଁ ଉଦ୍ୟମ କରୁଛି ବନବିଭାଗ । ହାତୀପଲଙ୍କୁ ଜନବସତିରୁ ଘଉଡେଇବା ପାଇଁ ଗଜବନ୍ଧୁ ଅଭିଯାନ ଆରମ୍ଭ କରିଛି ଅନୁଗୁଳ ବନଖଣ୍ଡ ।

ଗାଁ ଗହଳିରେ ଆତଙ୍କ ସୃଷ୍ଟି କରୁଥିବା ହାତୀପଲଙ୍କୁ ଘଉଡ଼େଇବେ ଗଜବନ୍ଧୁ । ହାତୀଙ୍କ କବଳରୁ ଧନଜୀବନ ରକ୍ଷା କରିବା ପାଇଁ ଅନୁଗୁଳ ବନଖଣ୍ଡ ଆରମ୍ଭ କରିଛି ନୂଆ ଯୋଜନା ‘ଗଜବନ୍ଧୁ’ । ବନଖଣ୍ଡ ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କ ସଚେତନ କରାଯିବା ସହ ପ୍ରତି ଗାଁରୁ ୪ରୁ୫ ଜଣ ଲୋକଙ୍କୁ ‘ଗଜବନ୍ଧୁ’ ଭାବେ ବଛାଯିବ । ସେମାନଙ୍କୁ ହାତୀ ଘଉଡେଇବା ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ହାତୀପଲ ଗାଁ ମୁହାଁ ହେଲେ ଗଜବନ୍ଧୁମାନେ ସେମାନଙ୍କୁ ଗାଁରୁ ତଡିବା ସହ ଫସଲ ରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଏଥିପାଇଁ ସେମାନଙ୍କୁ ବନବିଭାଗ ପକ୍ଷରୁ ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ ।

ଅନୁଗୁଳ ବନଖଣ୍ଡ ଅଧିନ ୬ଟି ରେଂଜରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି । ୨୦୧୮-୧୯ ବର୍ଷରେ ବନଖଣ୍ଡର ଛେଣ୍ଡିପଦା, ବନ୍ତଳା, କଣିହାଁ, ତାଳଚେର, ଦୁର୍ଗାପୁର ଓ ପୁରୁଣାଗଡରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଏହି ୬ଟି ରେଂଜରେ ୩୩ଟି ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀପଲ । ପ୍ରାୟ ୧୫୭୬ ଏକର ଜମିରେ ଫସଲ ଉଜୁଡି ଯିବା ସହ ହାତୀ ଆକ୍ରମଣରେ ୪ ଜଣଙ୍କ ପ୍ରାଣହାନୀ ଘଟିଛି । ଅନେକ ସମୟରେ ହାତୀ-ମଣିଷ ଲଢେଇରେ ହାତୀ ମୃତ୍ୟୁର ଖବର ମଧ୍ୟ ଆସିଛି । ଯାହା ବନବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ହାତୀ ଘଉଡେଇବା ପାଇଁ ଗଜବନ୍ଧୁ ଯୋଜନା କରିଛି ଅନୁଗୁଳ ବନଖଣ୍ଡ ।

ଗଜବନ୍ଧୁ ଯୋଜନା ବାବଦରେ କିଛି ତଥ୍ୟ..
୧. ଅନୁଗୁଳ ଜିଲ୍ଲାର ୬୦ଟି ଗାଁରେ ଗଜବନ୍ଧୁ ମାନଙ୍କୁ ନିୟୋଜିତ କରାଯିବ ।
୨. ପ୍ରଥମ ପର୍ଯ୍ୟାୟରେ ୨୦ଟି ଗାଁରୁ ଯୋଜନା ଆରମ୍ଭ କରିବ ବନବିଭାଗ ।
୩. ଗ୍ରାମାଂଚଳ କିଛି ଯୁବକଙ୍କୁ ସ୍ୱଳ୍ପ ରୋଜଗାର ମିଳିବ ।
୪. ହାତୀ ନଷ୍ଟ କରୁଥିବା ଫସଲର ଉଚିତ୍ କ୍ଷତିପୂରଣ ଦିଆଯାଇପାରିବ ।

ଗ୍ରାମାଂଚଳରେ ହାତୀ ଉପଦ୍ରବ ରୋକିବା ପାଇଁ ଆଗରୁ ମଧ୍ୟ ଅନେକ ଯୋଜନା କରାଯାଇଛି । ହେଲେ ତାହା ଫଳପ୍ରଦ ହୋଇନଥିବା ବେଳେ ଗଜବନ୍ଧୁ ଯୋଜନା କେତେ ଦୂର ସଫଳ ହେବ ତାକୁ ନେଇ ଆଶଙ୍କ ସୃଷ୍ଟି ହୋଇଛି ।