ଖାଦ୍ୟ ସଙ୍କଟ ସହ ଇନ୍ଧନ ଅଭାବକୁ ନେଇ ପାକିସ୍ତାନରେ ହାହାକାର । ୪୮ ବିମାନ ଉଡାଣ ବାତିଲ, ଆଶଂକା ଭିତରେ ଯାତ୍ରୀ

240

କନକ ବ୍ୟୁରୋ : ପାକିସ୍ଥାନରେ ଇନ୍ଧନ ସଙ୍କଟ । ପିଆଇଏର ୪୮ବିମାନ ବାତିଲ । ସୀମିତ ପରିମାଣର ଇନ୍ଧନ ଓ ପରିଚାଳନା ସମସ୍ୟା ଯୋଗୁ ବିମାନ ସବୁ ବାତିଲ କରାଯାଇଛି । ପାକିସ୍ଥାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି । ଖାଦ୍ୟ ସାମଗ୍ରୀ ପରେ ଏବେ ପାକିସ୍ଥାନରେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଁଚଛି । ବିମାନ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । ପାକିସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେବା କାରଣରୁ ବିମାନ ଇନ୍ଧନର ମଧ୍ୟ ଦରବୃଦ୍ଧି ହୋଇଛି । ପ୍ରଭାବରେ ପାକିସ୍ଥାନ ଇଂଟରନ୍ୟାସନାଲ ଏୟାରଲାଇନ୍ସ ୪୮ଟି ବିମାନ ଉଡାଣକୁ ବାତିଲ କରିଛି । କେତେକ ବିମାନର ଉଡାଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଅନ୍ୟ ବିମାନ ବିଳମ୍ବରେ ଉଡାଣ ଭରିଛି । ବାତିଲ ହୋଇସାରିଥିବା ବିମାନ ଗୁଡିକର ଯାତ୍ରୀଙ୍କୁ ବିକଳ୍ପ ବିମାନକୁ ସ୍ଥାନାନ୍ତର କରାଯାଇଛି । ବିମାନ ବନ୍ଦରକୁ ଆସିବା ପୂର୍ବରୁ ଯାତ୍ରୀମାନେ କଷ୍ଟମର କେୟାର କିମ୍ବା ଟ୍ରାଭେଳ ଏଜେନ୍ସିଙ୍କ ସହ ଯୋଗାଯୋଗ କରି ପରିସ୍ଥିତି ଜାଣିବାକୁ ପିଆଇଏ ନିବେଦନ କରିଛି ।