କନକ ବ୍ୟୁରୋ : ଭାରତର ରାଫେଲ ଲଢୁଆ ବିମାନ କିଣା ଜବାବରେ ପାକିସ୍ତାନ ଚୀନଠାରୁ ୨୫ଟି ଜେ-୧୦ସି ଲଢୁଆ ବିମାନ କିଣିଛି । ଆସନ୍ତା ମାର୍ଚ୍ଚ ୨୩ ପାକିସ୍ତାନର ଜାତୀୟ ଦିବସ ଅବସରରେ ଏସବୁ ଲଢୁଆ ବିମାନର ପ୍ରଦର୍ଶନ କରାଯିବ ବୋଲି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ୍ ରସିଦ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ରାଓ୍ବଲପିଣ୍ଡିଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ମାର୍ଚ୍ଚ ୨୩ ଜାତୀୟ ଦିବସ ପାଳନ ଅବସରରେ ଅନେକ ଭିଭିଆଇପିଙ୍କୁ ଆମନ୍ତ୍ରିତ କରାଯାଇଛି । ସେମାନଙ୍କ ଆଗରେ ଏହି ଜେ-୧୦ସି ସ୍କ୍ବାର୍ଡନର ପ୍ରଦର୍ଶନ କରାଯିବ । ଗତ ବର୍ଷ ପାକିସ୍ତାନ-ଚୀନର ମିଳିତ ସାମରିକ ଅଭ୍ୟାସ ବେଳେ ପାକିସ୍ତାନର ପାଇଲଟ ଓ ବିଶେଷଜ୍ଞମାନେ ଜେ-୧୦ସି ବିମାନ ଚଳାଇବାର ଅଭିଜ୍ଞତା ହାସଲ କରିଥିଲେ ।
ସୂଚନାଯୋଗ୍ୟ ଯେ, ଭାରତର ରାଫେଲର ମୁକାବିଲା କରିବାକୁ ପାକିସ୍ତାନ ପାଖରେ ଆମେରିକା ନିର୍ମିତ ଏଫ-୧୬ ଲଢୁଆ ବିମାନ ରହିଛି । ଏହା ସତ୍ତ୍ବେ ପାକିସ୍ତାନ ନିଜର ବାୟୁସେନାର ଦକ୍ଷତା ବଢାଇବାକୁ ଚୀନଠାରୁ ଏସବୁ ଲଢୁଆ ବିମାନ କିଣୁଛି । ଏହାପୂର୍ବରୁ ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିଛି । ଗତ ବର୍ଷଠାରୁ ଏସବୁ ବିମାନର ଡେଲିଭରୀ ଆରମ୍ଭ ହୋଇଛି । ତେବେ ଚୀନର ଜେ୧୦ସି ବିମାନ ରାଫେଲର ମୁକାବିଲା କରିପାରିବ ନାହିଁ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । ଏପରିକି କେତେକ ପାକ୍ ସିନେଟର ମଧ୍ୟ ଏହାର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି