ଜୁନ୍ ୨୩ରେ ବିହାର ପାଟନାରେ ଏକାଠି ହେବେ ମୋଦୀ ବିରୋଧୀ । ସାମିଲ ହେବେ ୧୫ ରାଜନୈତିକ ଦଳର ନେତା

238

କନକ ବ୍ୟୁରୋ : ବଳ ଗୋଟାଉଛନ୍ତି ବିରୋଧୀ । ବିହାରରେ ତିଆରି ହେବ ୨୪ ପାଇଁ ରଣନୀତି । ହାତକୁ ଶକ୍ତି ଦେଇଛି କର୍ଣ୍ଣାଟକ । ଏହି ଶକ୍ତିକୁ ୨୪ ପାଇଁ ବଡ ପୁଞ୍ଜି କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଲଢେଇ କରିବା ପାଇଁ କଂଗ୍ରେସକୁ ଦରକାର ଅନ୍ୟ ବିରୋଧୀଙ୍କ ସହଯୋଗ । ପୂର୍ବରୁ କଂଗ୍ରେସ ବୈଠକକୁ ନେଇ ସହମତି ପ୍ରକାଶ କରୁନଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ କିନ୍ତୁ ହଁ ଭରିଛି । ଏହାର ନେତୃତ୍ୱ ନେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟକୁ ରାଜ୍ୟ ବୁଲି ବିଭିନ୍ନ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ଏହି ବୈଠକଳେ ନୀତିଶ ଦେବେ ମୋଦୀଙ୍କୁ ହରାଇବାର ଫର୍ମୁଲା । ଏହି ବୈଠକରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଟିଏମସି ସମେତ ଅନେକ ବିଜେପି ବିରୋଧୀ ଦଳ ଏକାଠି ହେଉଛନ୍ତି । କେସିଆରଙ୍କ ବିଆରଏସ ଯୋଗ ଦେବ କି ନାହିଁ ସ୍ପଷ୍ଟ ହୋଇନି କିନ୍ତୁ ୧୫ ରାଜନୈତିକ ଦଳ ଏକାଠି ହେଉଥିବା ସୂଚନା ରହିଛି ।

୨୦୧୯ରେ ବିଜେପି ଦ୍ୱିତୀୟ ଥର କ୍ଷମତାକୁ ଆସିବା ବେଳେ ୧୭ ରାଜନୈତିକ ଦଳ ସାଙ୍ଗରେ ଥିଲେ । ଏବେ କିନ୍ତୁ ବିଭିନ୍ନ କାରଣ ପାଇଁ ୪ ବର୍ଷ ଭିତରେ ୮ ରାଜନୈତିକ ଦଳ ଏନଡିଏରୁ ଓହରିଗଲେଣି । ଏହାରି ଭିତରେ ତାମିଲନାଡୁର ଏଆଇଏଡିଏମକେ ଓ ହରିଆଣାର ଜେଜେପି ମେଂଟରେ ଥାଇ ଅସନ୍ତୋଷ ରହିଥିବା ଚର୍ଚ୍ଚା ହେଉଛି । ତେଣୁ ଦୁଇ ଦଳର ସ୍ଥିତି ଆଗକୁ କଣ ହେବ ତାହା ଏବେ ଚର୍ଚ୍ଚା ଭିତରେ ରହିଛି । ଗୋଟିଏ ପଟେ ବିରୋଧୀ ନିଜ ଭିତରେ ଥିବା କନ୍ଦଳ ଭୁଲି ଏକାଠି ହେଉଛନ୍ତି ଅନ୍ୟପଟେ ଏନଡିଏର ସ୍ଥିତି ବିଜେପିର ଚିନ୍ତା ବଢାଇ ଦେଇଛି । ଏବେ ଏନଡିଏରେ ଏକ ସମନ୍ୱୟ କମିଟି ଗଠନ ପାଇଁ ଦାବି ରହିଛି । କିନ୍ତୁ ୯ ବର୍ଷ ପରେ ମଧ୍ୟ ଏହା ସଫଳ ହୋଇପାରି ନାହିଁ । ସହଯୋଗୀ ସଂଯୋଜକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ଅଛି । ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଜର୍ଜ ଫର୍ଣ୍ଣାଣ୍ଡିସ୍ ସବୁ ପ୍ରସଙ୍ଗରେ ନେତାଙ୍କ ସହିତ ପରାମର୍ଶ କରୁଥିଲେ । କୈଣସି ବିବାଦ ତୁରନ୍ତ ଏକ ବୈଠକ ଡାକି ସମାଧାନ ହେଉଥିଲା, କିନ୍ତୁ ନିକଟ ଅତୀତରେ ଏନଡିଏ ଭିତରେ ସେପରି କୈଣସି ହେଉଥିବା ଦେଖିବାକୁ ମିଳିନି । ଯାହାର ଫାଇଦା ନେବାକୁ ଏବେ ବିରୋଧୀ ଅଂଟାଭିଡିଛନ୍ତି ।

ଯଦିଓ ବିରୋଧୀ ଏକାଠି ହେଉଛନ୍ତି କିନ୍ତୁ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, କେଜ୍ରିୱାଲ ଭଳି ନେତା ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଶ ରଖିଛନ୍ତି । ଏପରି ସ୍ଥିତିରେ ବିରୋଧୀ ବିଜେପିକୁ ସାମ୍ନା କରିବା ଏତେଟା ସହଜ ନୁହୋଁ