ରାଜ୍ୟରେ ଖାଲି ପଡିଛି ସିଟ୍ କିନ୍ତୁ ଖୋଲିବ ଡିଗ୍ରୀ ଓ ପ୍ରଫେସନାଲ କଲେଜ । ଉଚ୍ଚ ଶିକ୍ଷା ବିଭାଗ ହାଇପାୱାର କମିିଟିର ନିଷ୍ପତ୍ତିକୁ ସମାଲୋଚନା ।

205

କନକ ବ୍ୟୁରୋ: ରାଜ୍ୟରେ ଅଧିକାଂଶ ଡିଗ୍ରୀ କଲେଜରେ ସିଟ ପୂରଣ ହେଉ ନଥିବାବେଳେ ନୂଆଡିଗ୍ରୀ ଖୋଲିବାକୁ ଅଣ୍ଟା ଭିଡିଛି ଉଚ୍ଚଶିକ୍ଷା ବିଭାଗ । ୨୦୨୦-୨୧ ଶିକ୍ଷାବର୍ଷରେ ଆଗାମୀ ୫ ବର୍ଷ ଯାଏଁ ରାଜ୍ୟର ନୂଆ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଗତ ମାସରେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତି ନେଇଛି ରାଜ୍ୟରେ ନୂଆ କଲେଜ, ବିଭାଗ, ପାଠ୍ୟକ୍ରମ ଖୋଲିବ । ସ୍ଥାନୀୟ ଅଂଚଳର ଆବଶ୍ୟକତା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ନୂଆ ଡିଗ୍ରୀ କଲେଜ ଓ ପ୍ରଫେସନାଲ୍ କଲେଜ ଖୋଲିବାକୁ ଅନୁମତି ଦେବା ପାଇଁ ନିଷ୍ପତି ନିଆଯାଇଥିଲା । ଏହା ଛଡ଼ା ସିଟ୍ ସଂଖ୍ୟା ବୃଦ୍ଧି, ନୂଆ କୋର୍ସ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିବ । ଏହା ମଧ୍ୟରେ ପିଜି କୋର୍ସ ମଧ୍ୟ ରହିଛି । ଆବେଦନ ଆସିଲେ ଏହାକୁ ଯାଂଚ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ
-୧,୦୨୪ ଡିଗ୍ରୀ କଲେଜରେ ୨, ୫୫, ୯୧୩ ସିଟ୍ ରହିଛି
-ଯୁକ୍ତ ୩ରେ ୩ ଥର ଆବେଦନର ସୁଯୋଗ ଦିଆଯାଇଥିଲେ ବି ୫୭ ହଜାରରୁ ଅଧିକ ସିଟ୍ ଖାଲି
-ସିଟ୍ ପୂରଣ ହେଉନଥିବାରୁ ନାମଲେଖା ପ୍ରକ୍ରିୟା ସରୁନାହିଁ
-ରାଜ୍ୟର ସରକାରୀ କଲେଜରେ ସିଟ୍ ପୂରଣ ହେଉନାହିଁ
-ଅଧିକାଂଶ କଲେଜରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି
-ଅଧିକାଂଶ କଲେଜରେ ଭିତିଭୂମିର ଅଭାବ ରହିିଛି
-ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ପଦବୀ ପୂରଣ ହେଉନାହିଁ

ଫଳରେ ଅଧିକାଂଶ କଲେଜରେ ପାଠପଢା ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥଳେ ନୂଆ କଲେଜ ଖୋଲିବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ । ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ନୀତି ସରକାର ଆଗକୁ ବଢିବା ଠିକ କଥା । କିନ୍ତୁ ବର୍ତ୍ତମାନ ପ୍ରଥମେ ଡିଗ୍ରୀ କଲେଜଗୁଡିର ଭିତ୍ତିିଭୂମି ସଜାଡି ଅଧ୍ୟାପକ ପଦବୀ ପୂରଣ କରାଯିବା ଦରକାର । ଆଉ ଏଠାକୁ ପିଲା କିଭଳି ଆସିବେ ତା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।