ଅଣ୍ଟି ଛୁରୀ ତଣ୍ଟି କାଟିଲା… ସମ୍ପତ୍ତି ଲୋଭରେ ସମ୍ପର୍କୀୟ ନାତି ସଇତାନ ସାଜିଲା । ଚୋରି କଲାବେଳେ ଜେଜେର ଜୀବନ ନେଇ ମିଛ ନାଟକ ରଚିଲା…

239

କନକ ବ୍ୟୁରୋ: ଅର୍ଥ ପାଇଁ ଅନର୍ଥ । ଟଙ୍କା ଲୋଭରେ ସଇତାନ ସାଜିଲା ନାତି । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଲେଣ୍ଡୁରା ଭଗବାନପୁର ଗାଁରେ  ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ହୁଏତ ହଠାତ ବିଶ୍ୱାସ କରିବେ ନାହିଁ । ଅଣ୍ଟି ଛୁରୀ ତଂଟି କାଟେ ଭଳି  ସାମନ୍ୟ କିଛି ଟଙ୍କା ପାଇଁ  ଜେଜେକୁ ହତ୍ୟା କରିଛି ନାତି । ଆଉ  ଏହି ଘଟଣାକୁ ଘଣ୍ଟ ଘୋଡାଇବା ପାଇଁ ନାତି ବି ସୁପରିକଳ୍ପିତ ଯୋଜନା କରି ନିଜେ ଫସିଯାଇଥିଲା । ଘଟଣାରେ ଅଭିଯୁକ୍ତ ଓଙ୍କାର ମୁଦୁଲିକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ବିଶ୍ୱାସରେ ବିଷ ଦେଲା ନାତି । ଦୋଷ ଲୁଚାଇବାକୁ ହାଇ ଡ୍ରାମା । ଅଭିଯୁକ୍ତ ଓଁଙ୍କାର ମୁଦୁଲିର ବୟସ ୧୯ ବର୍ଷ । ସୂଚନା ଅନୁସାରେ ଲେଣ୍ଡୁରା ଭଗବାନପୁର ଗାଁରେ   ରହୁଥିବା  ହୃଷିକେଷ ମୁଦୁଲିଙ୍କ ସମ୍ପର୍କୀୟ ନାତି ହେଉଛନ୍ତି ଓଁକାର  ।  ହୃଷିକେଶଙ୍କ ଝିଅ ବାହା ହୋଇସାରିଥିବାବେଳେ ପୁଅ କଟକରେ ରହିଛନ୍ତି ।  ହୃଷିକେଶ ଚାକିରୀରୁ ଅବସର ନେବା ପରେ ପେନସନ ପାଉଥିଲେ ।  ଓଁକାରକୁ ହୃଷିକେଶ ଓ ସ୍ତ୍ରୀ ବେଶ ଭଲ ପାଉଥିଲେ । ଆଉ ଏହାର ସୁଯୋଗ ନେଇ ଜେଜେଙ୍କ ଘରେ ଚୋରୀ କରିବାର ବେଶ କିଛି ଦିନ ଧରି ଯୋଜନା କରୁଥିଲା ଅଭିଯୁକ୍ତ ଓଙ୍କାର ।

ଗତ ଗୁରୁବାର ରାତିରେ ନିଜ ଘରେ ରାତ୍ରି ଭୋଜନ କରି ଜେଜେ ଓ ଜେଜେମାଙ୍କ ଘରକୁ ଶୋଇବାକୁ ଯାଇଥିଲା ଓଙ୍କାର । ଅଧରାତିରେ ଆଲମିରା ଖୋଲି ଟଙ୍କା ଓ ସୁନା ଗହଣା ଲୁଟିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଜେଜେ ହୃଷିକେଶଙ୍କ ନିଦ ଭାଙ୍ଗିଯାଇଥିଲା ଓ ସେ ନିଜ ନାତିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଆଉ ପାଖରେ ରଖିଥିବା କଟୁରୀ ଓ ଦାଆ ସାହାଯ୍ୟରେ  ହୃଷିକେଶଙ୍କୁ ଆକ୍ରମଣ କରିଥିଲା ଓଁକାର । କେବଳ ସେତିକି ନୁହେଁ ଆଇକୁ ବି ମାରିବାକୁ ପଛାଇ ନଥିଲା ସଇତାନ । ଏହାପରେ ପ୍ରମାଣ ନଷ୍ଟ କରିବାକୁ ଘରେ ଥିବା ଶୀତବସ୍ତ୍ର କମଳ, ଚାଦର ଆଦିକୁ ପୋଡି ଦେଇଥିଲା ନାତି ଓଙ୍କାର । ପରଦିନ ସକାଳୁ ଗାଁ ଲୋକଙ୍କ ଆଗରେ ମନଗଢା କାହାଣୀ କହିଥିଲା । କିଛି ଦୁର୍ବୃତ ମୁହଁରେ କଳା କପଡା ବାନ୍ଧି ତାଙ୍କ ଘରେ ଆକ୍ରମଣ କରିଥିବା କଥା କହିଥିଲା । ପୋଲିସକୁ ଏନେଇ ସନ୍ଦେହ ହେବାକୁ ପୁଲିସ ପ୍ରଥମିକ ତଦନ୍ତ କରି ଓଁକାରଙ୍କୁ ସନ୍ଦେହ ଘେରକୁ ନେଇଥିଲା । ଆଉ ଜେରା କରିବା ପରେ  ଆକ୍ରମଣ କଥା ସ୍ୱୀକାର କରିଛି ଓଁକାର ।

ଜେଜେଙ୍କ ଘରୁ ଓଙ୍କାର ଚୋରୀ କରିଥିବା ଗହଣା ଟଙ୍କାକୁ ବି ଜବତ କରିଛି ପୋଲିସ । ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ବି ଜବତ ହୋଇଛି । କୁହାଯାଉଛି, ଓଁକାର ସ୍ଥାନୀୟ ଲୋକଙ୍କଠାରୁ  ଧାର କରଜ କରିଥିଲା । ଆଉ ଋଣ ସୁଝିବା ପାଇଁ ଏଭଳି କାଣ୍ଡ ଘଟାଇଥାଇପାରେ । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।