ନିରାପଦ ନୁହେଁ ରାଜ୍ୟର କୌଣସି କୋଚିଂ ସଣ୍ଟର : ବାଜିରେ ଲାଗୁଛି ପିଲାଙ୍କ ଜୀବନ, ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଆସିଲା ସାଙ୍ଘାତିକ ତଥ୍ୟ

126

କନକ ବ୍ୟୁରୋ : ରାଜ୍ୟର କୌଣସି କୋଚିଂ ସେଣ୍ଟର୍‌ ନିରାପଦ ନୁହେଁ । ଭଗବାନ ଭରସାରେ ଚାଲିଛି । ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢ଼ୁଥିବା ପିଲାଙ୍କ ଜୀବନ ପ୍ରତିଦିନ ବାଜିରେ ଲାଗୁଛି । ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ଉରୁ ଆଜି ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି । ସୁରଟ୍‌ର ଏକ କୋଚିଂ ସେଣ୍ଟର୍‌ରେ ନିଆଁ ଲାଗି ୨୦ରୁ ଊର୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରାଣହାନି ହେବା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର୍‌ ଉପରେ ଚଢ଼ଉ କରାଯାଇଥିଲା ।

ଗତ ୨୭ ତାରିଖରେ କଟକ ଓ ଭୁବନେଶ୍ବରରେ ୨୩ ଓ ଆଜି ରାଉରକେଲା, ବାଲେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ୪୩ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚରୁ ବିଭାଗ ଅନୁଭବ କରିଛି ଯେ ସେଣ୍ଟରଗୁଡ଼ିକ ଶତପ୍ରତିଶତ ଅଗ୍ନି ନିରାପଦ ନୁହେଁ । କେଉଁଠି ଅଗ୍ନି ନିର୍ବାପକ ଯନ୍ତ୍ର ଥିଲେ ମଧ୍ୟ ବ୍ୟବହାର ପାଇଁ ଆବଶ୍ୟକ ମୁତାବକ ଜାଗା ନାହିଁ । ସେହିପରି କେଉଁଠି ନା ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି, ନା ନିଆଁ ଲାଗିଲେ ସହଜରେ ଖସିଯିବାର ସୁଯୋଗ ଅଛି । ଶିଡ଼ି ଓ ରାସ୍ତା ଜାମ୍‌ ରହିବା ସହ ଯାତାୟାତ ରାସ୍ତାକୁ ଅବରୋଧ କରାଯାଇଛି । ଅଦ୍ୟାବଧି ଶତପ୍ରତିଶତ କୋଚିଂ ସେଣ୍ଟର ଅଗ୍ନି ଜନିତ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିବା ନଜରକୁ ଆସିନାହିଁ । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ କେବଳ ତାଗିଦ୍‌ କରାଯାଇଛି । ଖୁବ୍‌ଶୀଘ୍ର ସମସ୍ତଙ୍କ ଅଗ୍ନି ନିର୍ବାପନ ବ୍ୟବସ୍ଥା ନିୟମିତ କରିବା ପାଇଁ ନୋଟିସ କରାଯିବ ।

ପୂର୍ବରୁ ରାଜଧାନୀର କେତେକ ବଡ଼ ବଡ଼ ଅଟ୍ଟାଳିକାରେ ନିଆଁ ଲାଗିବା ପରେ ଚଢ଼ଉ କରାଯାଇଥିଲା । ସେଠାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା । ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ମଲ୍‌ରେ ଏହି ବ୍ୟବସ୍ଥା ଫେଲ୍‌ ମାରିଥିଲା । କିଛି ଦିନ ତନାଘନା ପରେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଥିଲା । ଏବେ ମଧ୍ୟ କୋଚିଂ ସେଣ୍ଟରଗୁଡ଼ିକର ଅବସ୍ଥା ତଦ୍ରୂପ ହୋଇଛି । ବଡ଼ କଥା ହେଉଛି, ଅଗ୍ନିଶମ ସେବା ସଂସ୍ଥା ପାଖରେ ରାଜ୍ୟର କେଉଁ ସହରରେ କେତେ କୋଚିଂ ସେଣ୍ଟର ରହିଛି, ତାହାର ହିସାବ ନାହିଁ । କିଏ କେଉଁଠି କୋଚିଂ ସେଣ୍ଟର ଖୋଲି ଦେଉଛି, ତାହା ଜାଣିବା ସହଜ ହେଉନାହିଁ । ଏଥିପାଇଁ ହିସାବ ରଖିବା କଷ୍ଟକର ହୋଇଛି । ବିଭାଗୀୟ ଅନୁସନ୍ଧାନରୁ ଯେତିକି ନଜରକୁ ଆସୁଛି, ତାହା ଉପରେ ଚଢ଼ଉ ହେଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।