ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ; ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଗସ୍ତକୁ ନେଇ ଚର୍ଚ୍ଚା

197

କନକ ବ୍ୟୁରୋ : ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ବିରୋଧୀଙ୍କଠୁ ଅଳ୍ପ ପଛରେ ରହିଯାଇଛି । ତେଣୁ ବିଜେଡି ବିଜେପିକୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବା ନେଇ ଆଲୋଚନା ହୋଇପାରେ ।

କାରଣ ଏନଡିଏ ପ୍ରାର୍ଥୀଙ୍କୁ ବିଜୟ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସମେତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନ ରେଡ୍ଡୀଙ୍କ ସମର୍ଥନ ଜରୁରୀ । ତେଣୁ ଆଲୋଚନା ବେଳେ ଏହି ପ୍ରସଙ୍ଗ ମଧ୍ୟ ଉଠିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟରେ ଅପରାଜିତା ଷଡଙ୍ଗୀ ଓ ସମ୍ବିତ ପାତ୍ରଙ୍କ ଭଳି ବିଜେପି ନେତା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେଣୁ କୁହାଯାଉଛି, ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ହୋଇପାରେ ।