ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କଲେ ନବୀନ ।

450
  • ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
  • ୯୬ ଲକ୍ଷ ପରିବାରକୁ ମିଳିବ ସ୍ମାର୍ଟ ହେଲଥ କାର୍ଡ
  • ଉପକୃତ ହେବେ ରାଜ୍ୟର ସାଢ଼େ ୩ କୋଟି ଲୋକ

ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ରୂପରେ ଲାଗୁ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିପାଇଁ ରାଜ୍ୟର ୯୬ ଲକ୍ଷ ପରିବାର, ସାଢେ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ମିଳିବ । ସାରା ରାଜ୍ୟରେ ପର୍ଯ୍ୟାୟ କ୍ରମେ ଏହି କାର୍ଡ ଦିଆଯିବ । ଏଭଳି ସ୍ମାର୍ଟ ହେଲଥ୍ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀଙ୍କୁ ମିଳିବ ହେଲଥ୍ କାର୍ଡ
  • ଏଥିରେ ପ୍ରତିବର୍ଷ ପ୍ରତ୍ୟେକ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ
  • ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳିବ
  • ସ୍ମାର୍ଟ ହେଲଥ କାର୍ଡ ଦେବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ସହାୟକ ହେବା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ । ଲୋକମାନେ ଯେତେବେଳେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠପଢା ବନ୍ଦ କରିବା ଖବର ଶୁଣିଲେ ତାଙ୍କୁ ବହୁତ କଷ୍ଟ ଲାଗେ ବୋଲି କହିଛନ୍ତି ନବୀନ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲା ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦିଆଯିବ । ନଭେମ୍ବର ମାସ ସୁଦ୍ଧା ସମସ୍ତ ଜିଲ୍ଲାରେ ଏହା ପର୍ଯ୍ୟାୟ କ୍ରମେ ଲାଗୁ କରାଯିବ । ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ୭୧ ଲକ୍ଷ ୬୯ ହଜାର ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା ।