ଆଜିଠୁ ଓଡିଶାରେ ଆରମ୍ଭ ହେଲା ଶିଶୁ ଓ କିଶୋର ସଂକ୍ରମଣର ହିସାବ । ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ୧୩୮ ଜଣ ପଜିଟିଭ୍ ଚିହ୍ନଟ ।

557

କନକ ବ୍ୟୁରୋ: ତୃତୀୟ ଲହରକୁ ଦୃଷ୍ଟିରେ ରଖି ଓଡିଶା ସରକାର ଶିଶୁ ଓ କିଶୋରଙ୍କ ଠାରେ କରୋନା ସଂକ୍ରମଣ କେତେ ସଂଖ୍ୟାରେ ହେଉଛି, ତାର ହିସାବ ଦେବା ଆରମ୍ଭ କରିଛନ୍ତି । ଗତ ୨୪ ଘଣ୍ଟାରେ ୭୯ ହଜାର ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୧୩୮ ଜଣ ଶିଶୁ ଓ କିଶୋର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯଦିଓ ଏହି ସଂଖ୍ୟା ଅଧିକ ନୁହେଁ, ତେବେ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ସଂକ୍ରମଣର ଟ୍ରେଣ୍ଡକୁ ନଜରରେ ରଖାଯାଇଛି ।

ଶିଶୁଙ୍କୁ କରୋନା ସଂକ୍ରମଣ କଥା ଶୁଣିଲେ ଯେକେହି ଭୟଭୀତ ହେବ, କିନ୍ତୁ ଆମେ ବିଟ୍ରେନ୍ ସ୍ଥିତ ଜଣେ ପ୍ରତିଷ୍ଠିତ ଡାକ୍ତର ଭାଗ୍ୟଶ୍ରୀ ସିଂଙ୍କ ସହ ଆଲୋଚନା କରିଥିଲୁ । ଶିଶୁଙ୍କୁ ପରେ କରୋନାର ପ୍ରଭାବକୁ ନେଇ ଗବେଷଣ କରୁଥିବା ଏହି ଓଡିଆ ମହିଳା ଡାକ୍ତର କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ଏହା ସତ ଯେ, ଶିଶୁ ଓ କିଶୋରଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ଏବଂ ସହଜରେ ଭୂତାଣୁ ତାଙ୍କ ଶରୀରରେ ପ୍ରବେଶ ମଧ୍ୟ କରିପାରେନାହିଁ କିନ୍ତୁ ସେମାନଙ୍କ ପାଇଁ ଭ୍ୟାକ୍ସିନ ନାହିଁ ଯାହାକି ଏକ ବଡ ଚିନ୍ତା । ତେବେ ପ୍ରଥମ ଲହର ଏବଂ ଦିତ୍ୱୀୟ ଲହରରେ ଛୋଟପିଲା କ୍ଷତିଗ୍ରସ୍ତ ହୋଇନଥିଲେ । ଏବେ କର୍ଣ୍ଣାଟକ ଓ ମିଜୋରାମରେ ଛୋଟପିଲାଙ୍କ ଠାରେ ସଂକ୍ରମଣ ବଢୁଥିଲେ ମଧ୍ୟ ଅଧିକାଂଶଙ୍କ ଠାରେ କୌଣସି ଲକ୍ଷଣ ନାହିଁ, କେତେକଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଏବଂ କାହାରି ମୃତ୍ୟୁ ହୋଇନାହିଁ ।