ନୁପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ହୋଇପାରିବେନି ଗିରଫ । ସରକାରଙ୍କୁ ନୋଟିସ ଜାରି କଲେ କୋର୍ଟ ।

81

କନକ ବ୍ୟୁରୋ: ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି । ଆଜି ତାଙ୍କ ଉପରେ ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ନୁପୁର ଶର୍ମାଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇ ଦେଇଛନ୍ତି । ଏହି ତାରିଖରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏଥିସହିତ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରି ସୂଚନା ଦେଇଛନ୍ତି ।

କୋର୍ଟରେ ନୁପୁର ଶର୍ମାଙ୍କ ଓକଲି କହିଛନ୍ତି ଯେ, ଲଗାତାର ନୁପୁରଙ୍କୁ ହତ୍ୟା ଧମକ ମିଳୁଛି । ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଦେଇଥିବା ଟିପ୍ପଣୀ ଯୋଗୁ ତାଙ୍କ ବିରୋଧରେ ମୋଟ ୯ଟି ଏଫଆଇଆର ରୁଜୁ ହୋଇଛି । ଯାହାର ଶୁଣାଣି ଆଜି ହୋଇଥିଲା । ନୁପୁରଙ୍କ ଓକିଲ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ସମସ୍ତ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରାଯାଉ । ସମସ୍ତ ଅଭିଯୋଗ ଗୋଟିଏ କାରଣକୁ ନେଇ ହୋଇଥିବାରୁ ଏହାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ସେ ଅନୁରୋଧ କରିଥିଲେ ।

ସୁପ୍ରିମକୋର୍ଟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପାରଦୀବାଲାଙ୍କ ବେଞ୍ଚକୁ ନୁପୁରଙ୍କ ଓକିଲ ମନିନ୍ଦର ସିଂହ କହିଥିଲେ, ଏହି ବିଷୟକୁ ନେଇ ପ୍ରଥମ ଅଭିଯୋଗ ଦିଲ୍ଲୀରେ ହୋଇଥିଲା । ଏହାପରେ ସମସ୍ତ ଅଭିଯୋଗ ଏହି ପୋଗ୍ରାମକୁ ନେଇ ହୋଇଛି । ତେଣୁ କେବଳ ଦିଲ୍ଲୀ ମାମଲାର ଶୁଣାଣି କରିବାକୁ ସେ ମାନ୍ୟବର କୋର୍ଟଙ୍କୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଏକ ବିବାଦୀୟ ବୟାନ ରଖିଥିଲେ ନୁପୁର ଶର୍ମା । ତାଙ୍କ ବିରୋଧରେ ଏହି ବିଷୟକୁ ନେଇ ଏକାଧିକ ଅଭିଯୋଗ ଥାନାରେ ରୁଜୁ ହୋଇଥିଲା । ହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସମସ୍ତ କୋର୍ଟରେ ହାଜର ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି । ତେଣୁ ସମସ୍ତ ମାମଲାର ଶୁଣାଣି ଗୋଟିଏ ଜାଗାରେ କରିବାକୁ ସେ ଅନୁରୋଧ କରିଥିଲେ । ତେବେ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ତାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।