ଚାଷୀ ମୁଣ୍ଡରେ କାଳବୈଶାଖୀ ପ୍ରହାର । ବର୍ଷାରେ ଭିଜିଗଲା ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଅମଳ ଧାନ, ଚିନ୍ତାରେ ଚାଷୀ ।

185

କନକ ବ୍ୟୁରୋ : ଚାଷୀ ମୁଣ୍ଡରେ କାଳବୈଶାଖୀର ଜୋରଦାର ପ୍ରହାର । କାଳବୈଶାଖୀ ବର୍ଷା ଯୋଗୁଁ କେତେକ ସ୍ଥାନରେ ତାତିରୁ ଲୋକଙ୍କୁ ଟିକେ ଆସ୍ୱସ୍ଥି ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ନିଦ ହଜି ଯାଇଛି । ଗତକାଲି ରାତିରୁ ହେଉଥିବା ବର୍ଷାରେ ମଣ୍ଡିରେ ଥିବା ଧାନ ବସ୍ତା ସବୁ ଓଦା ହୋଇଯାଇଛି । ରବି ଋତୁରେ ଧାନ କରିଥିବା ଚାଷୀ ସରକାରୀ ଦରରେ ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ଆଣିଥିଲେ । ହେଲେ ଖୋଲା ଆକାଶ ତଳେ ମଣ୍ଡି ଚାଲିଥିବାରୁ ମଣ୍ଡିରେ ଗଦା ହୋଇଥିବା ଧାନ ବସ୍ତା ବର୍ଷାରେ ପୁରା ଓଦା ହୋଇଯାଇଛି । ଚାଷୀର ପରିଶ୍ରମ ମଣ୍ଡିରେ ଭିଜି ଯିବା ପରେ ଚାଷୀ ଚିନ୍ତାରେ ପଡିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ମେ ୧ ତାରିଖରୁ ମଣ୍ଡି ଖୋଲିବା ନେଇ ସରକାର ଦିନ ଧାର୍ଯ୍ୟ କରିଥିଲେ, ହେଲେ ଧାନ ଅମଳ ହୋଇନଥିବା ଦର୍ଶାଇ ମଣ୍ଡି ଖୋଲିବା ତାରିଖ ମେ ୧୫ ତାରିଖକୁ ପ୍ରଶାସନ ଘୁଞ୍ଚାଇ ଦେଇଥିଲା । ପରେ ମେ ୨୫ ତାରିଖରୁ ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମିଲର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମଣ୍ଡି ଧାନ ଉଠିପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।