ଲୁଟ୍ ଉଦ୍ୟମ ବେଳେ ସାହସ ଦେଖାଇଲେ କଲେଜ ଅଧ୍ୟକ୍ଷା । ଚେନ୍ ଲୁଟେରାକୁ କାବୁ କରି ପୁଲିସର ଦେଲେ ଜିମା ।

256

କନକ ବ୍ୟୁରୋ : ଲୁଟ ଉଦ୍ୟମ ବେଳେ ସାହାସ ଦେଖାଇଲେ କଲେଜ ଅଧ୍ୟକ୍ଷା । ଚେନ୍ ଲୁଟେରାକୁ କାବୁ କରି ପୁଲିସର ଜିମା ଦେଇଛନ୍ତି ଜଣେ ସାହସୀ ମହିଳା । ଆଜି ସକାଳ ୮ଟାରୁ ୯ ଭିତରେ ଘଟଛି ଏଭଳି ଏକ ଘଟଣା । ଜଟଣୀରୁ କଳାପଥର ଯାଉଥିଲେ କଳାପଥର ଡିଗ୍ରୀ କଲେଜ ଅଧ୍ୟକ୍ଷା ବିନୋଦିିନି ମହାପାତ୍ର ଓ ତାଙ୍କ ସ୍ୱାମୀ । ଏମାନେ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଲୁଟେରା ଜଣଙ୍କ ତାଙ୍କୁ ଫଲୋ କରୁଥିଲା । ଏନେଇ ଯଦିଓ ମହିଳା ଜଣଙ୍କ ଜାଣି ପାରିନଥିଲେ, ପରେ ଲୁଟେରା ଏକ ଆପାଚି ଗାଡିରେ ତାଙ୍କୁ ଓଭର ଟେକ୍ କରି ବାଘମାରି-ସିମୋର ରାସ୍ତା ମଝିରେ ଏକ ନିଛାଟିଆ ସ୍ଥାନରେ ଚେନ୍ ଲୁଟ୍ ପାଇଁ ଉଦ୍ୟମ କରିଥିଲା ।

ଏହି ସମୟରେ ବିନୋଦିନି ଲୁଟେରାକୁ ଏକ ଜାବୁଡା ମାରିଥିଲେ । ଫଳରେ ଲୁଟେରା ଜଣଙ୍କ ଭାରସାମ୍ୟ ହରାଇ ଗାଡିରୁ ପଡି ଯାଇଥିଲା । କଲେଜ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ମଧ୍ୟ ପଡି ଯାଇଥିଲେ । ତଥାପି ମହିଳା ଜଣଙ୍କ ସାହାସ ଦେଖାଇ ଲୁଟେରାକୁ କାବୁ କରିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିନୋଦିନି ଲୁଟେରାର ଗାଡି ଚାବିକୁ ରଖି ଦେଇଥିଲେ । ଆଉ ଏହାରି ଭିତରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯିବାରୁ ଲୁଟେରା ଖସି ଯିବାରେ ସମର୍ଥ ହୋଇପାରିନଥିଲା । ଲୋକେ ଚେନ୍ ଲୁଟେରାକୁ କାବୁ କରି ବାଘମାରି ପୁଲିସର ଜିମା ଦେଇଛନ୍ତି ।