ପ୍ରକାଶ ପାଇଲା ନିଟ୍ ପରୀକ୍ଷାଫଳ । ରାଜସ୍ଥାନର ନଲିନ ଖଣ୍ଡେଲୱାଲ ଟପ୍ପର, ଓଡିଶାରୁ ୧୯,୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ।

258

କନକ ବ୍ୟୁରୋ : ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍ । ସେ ସମୁଦାୟ ୭୨୦ରୁ ୭୦୧ ନମ୍ବର(୯୯.୯୯) ପ୍ରତିଶତ ରଖି ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦିଲ୍ଲୀର ଭାବିକ ବନ୍ସାଲ୍ ଓ ଉତ୍ତରପ୍ରଦେଶର ଅକ୍ଷସତ କୌଶିକ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କର୍ଣ୍ଣାଟକର ୨ ଜଣ ଛାତ୍ର ଟପ୍ ୫୦ ର‌୍ୟାଙ୍କରେ ରହିଛନ୍ତି । ରାଜଧାନୀ ଦିଲ୍ଳୀରେ ପାସ୍ ହାର ସର୍ବାଧିକ ରହିଛି । ଦିଲ୍ଳୀରେ ୭୪.୯୨ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୂରା ଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ସେହିପରି ଓଡିଶାରୁ ମୋଟ୍ ୧୯,୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ରାଜ୍ୟର ପାସ ହାର ୫୯.୪୪ ପ୍ରତିଶତ ରହିଛି । ତେବେ ମହିଳା ଟପ୍-୨୦ରେ ରାଜ୍ୟରୁ ସଙ୍ଗୀତା ଅଗ୍ରୱାଲ୍ ସ୍ଥାନ ପାଇଛନ୍ତି । ସେହିପରି ୫ଜଣ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓଡିଶାରୁ ମୋଟ୍ ୩୫୦୯୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲା ବେଳେ ୩୨୩୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୨୭୧୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।

ନିଟ୍‌ ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ ntaneet.nic.in କିମ୍ବା mcc.nic.in ୱେବସାଇଟ୍‌ରେ ଦେଖିପାରିବେ । ନେସ୍‌ନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଫଳାଫଳ ପ୍ରକାଶ ପାଇଛି । ନିଟ୍‌ ପରୀକ୍ଷା ଗତ ମେ ୫ ଓ ମେ ୨୦ ତାରିଖରେ ହୋଇଥିଲା। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌/ ବିଡିସି ପାଠ ପଢ଼ିପାରିବେ।