ନିର୍ବାଚନ ପରେ ନିଆରା ଦୃଶ୍ୟ । ଗୋଟିଏ ଫ୍ରେମରେ ନବ-ସୁରେଶ-କିଶୋର । ସାଥୀ ହୋଇ କେକ୍ କାଟିଲେ, ଫଟୋ ପାଇଁ ପୋଜ୍ ଦେଲେ ପ୍ରତିଦ୍ୱନ୍ଦ୍ୱୀ ।

238

କନକ ବ୍ୟୁରୋ : ନିର୍ବାଚନ ସରିଲା,ଦୂରତା କମିଲା । ପରସ୍ପରର ବିରୋଧୀ ଥିବା ନେତାଙ୍କୁ ଏକାଠି କଲା ସରକାରୀ ଯୋଜନା । ସାଥୀ ହୋଇ କେକ୍ କାଟିଲେ, ଫଟୋ ପାଇଁ ପୋଜ ଦେଲେ । ନିର୍ବାଚନ ପରେ ଏଭଳି ନିଆରା ଦୃଶ୍ୟ ଝାରସୁଗୁଡା ବିମାନବନ୍ଦରରେ ଦେଖିବାକୁ ମିଳିଛି । ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଅଞ୍ଚଳର ବିକାଶ ପାଇଁ ହାତ ମିଳାଇଛନ୍ତି ବିଜେଡି ଓ ବିଜେପି ନେତା ।

ଝାରସୁଗୁଡାରେ ଉଡାଣ ଯୋଜନାର ସଂପ୍ରସାରଣ ବେଳେ ଗୋଟିଏ ଫ୍ରେମରେ ନବ-ସୁରେଶ-କିଶୋରଙ୍କୁ ଦେଖିବାକୁ ମିଳିଛି । ନିର୍ବାଚନ ପରେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ଥିବା ମତାନ୍ତରକୁ ଭୁଲି ବିକାଶ ପାଇଁ ହାତ ମିଳାଇଥିଲେ ନବ-କିଶୋର-ସୁରେଶ । ଚଳିତ ନିର୍ବାଚନରେ ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭା ଆସନରେ ବିଜେପି ବାଜି ମାରିଥିବା ବେଳେ ବିଧାନସଭା ଆସନରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ବିଜେଡି । ଏପରିକି ବରଗଡ ଲୋକସଭା ଆସନଟି ବିଜେପି ଖାତାକୁ ଯାଇଥିବା ବେଳେ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ଆସନ ବିଜେଡି ହାତେଇଥିଲା ।

ନିର୍ବାଚନ ସମୟରେ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଥିଲା । ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ପଛାଇନଥିଲେ ଉଭୟ ଦଳର ନେତା । ତେବେ ନିର୍ବାଚନ ସରିବା ସହ ବଦଳିଛି ସମୟ । ଯେଉଁ ବିକାଶକୁ ମୁଦ୍ଦା କରି ଉଭୟ ଦଳର ନେତା ପରସ୍ପରକୁ ଟାର୍ଗେଟ କରୁଥିଲେ ଆଜି ସେହି ବିକାଶ ଗାଡିକୁ ଆଉ ପାଦେ ଆଗେଇ ନେବା ପାଇଁ ହାତ ମିଳାଇଛନ୍ତି ବିଜେପି ସାଂସଦ ଓ ବିଜେଡି ବିଧାୟକ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କହୁଥିବା ବେଳେ ଆଜି ଏହାର ଝଲକ ଦେଖିବାକୁ ମିଳିଛି । ତେବେ ଏହି ଚିତ୍ର ଆଗାମୀ ଦିନରେ ମଧ୍ୟ ଦେଖିବାକୁ ମିଳିବ ନା ଦଳୀୟ ରାଜନୀତି ମଧ୍ୟରେ ସଙ୍କୁଚିତ ହୋଇଯିବ ତାହା ସବୁଠୁ ବଡ ପ୍ରଶ୍ନ ।

ଉଡାଣ ଯୋଜାନର ସଂପ୍ରସାରଣ ସହ ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡିଛି ବିମାନ । ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି । ଏହାପୂର୍ବରୁ ଉଡାନ ଯୋଜନାରେ ଝାରସୁଗୁଡାରେ ବିମାନ ସେବାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।