୧୦ମାସର ଜେଲ ଜୀବନ ପରେ ଶନିବାର ଜେଲରୁ ମୁକୁଳିବେ ସିଦ୍ଧୁ, ରୋଡ ରେଜ୍ ମାମଲାରେ ପାଇଥିଲେ ଦଣ୍ଡ

486

କନକ ବ୍ୟୁରୋ : ପୁଣି ପଞ୍ଜାବରେ ଶୁଭିବ ସିଦ୍ଧୁଙ୍କ ସ୍ୱର । କାରଣ ଦୀର୍ଘ ୧୦ମାସ ହେବ ଜେଲରେ ବନ୍ଦି ଥିିବା କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ ଆସନ୍ତାକାଲି ଜେଲରୁ ମୁକୁଳିବାକୁ ଯାଉଛନ୍ତି । ଏନେଇ ସିଦ୍ଧୁଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଗତବର୍ଷ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ  ୧୯୮୮ର ରୋଡ ରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ସିଦ୍ଧୁ ଗତ ୧୦ମାସ ହେବ ଜେଲରେ ରହିଛନ୍ତି ।

କହିରଖୁ କି ୧୯୮୮ ମସିହାରେ ସିଦ୍ଧୁ ତାଙ୍କ ବନ୍ଧୁଙ୍କ ସହ ମିଶି ଜଣେ ବ୍ୟକ୍ତିଙ୍କୁ ମାରପିଟ୍ କରିଥିଲେ । ଏହାପରେ ବ୍ୟକ୍ତିଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।

ହେଲେ ମୃତକଙ୍କ ପରିବାର ଲୋକେ ୨୦୧୮ ମସିହାରେ ସୁପ୍ରିମକୋର୍ଟର ଏହି ରାୟ ଉପରେ ପୁଣିଥରେ ବିଚାର କରିବାକୁ ଆବେଦନ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ।