ଆଜି ସମ୍ପୁର୍ଣ୍ଣ ଦେଶ ନିଜ ପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ତାଙ୍କ ଶାସନ କାଳରେ ସେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ କିନ୍ତୁ ତାଙ୍କର ସବୁଠାରୁ ଉକ୍ୃଷ୍ଟ ଧରଣର କାର୍ଯ୍ୟ ଥିଲା ଭାରତକୁ ପରମାଣୁ ଶକ୍ତିର ଉପହାର ଦେବା । ୧୯୯୮ ମସିହା ମେ ୧୧ ତାରିଖରେ ରାଜସ୍ଥାନର ଯୋଧପୁର-ଜେସଲମେର ମାର୍ଗରେ ଥିବା ଏକ ଛୋଟ ସହର ପୋଖରଣର ଆଖପାଖରେ ଥିବା ମରୁସ୍ଥଳରେ ସୂର୍ଯ୍ୟ ନିଜର ପ୍ରଖର କିରଣ ବର୍ଷା କରୁଥିଲେ । ଉକ୍ତ ସମୟରେ ଭାରତୀୟ ପରମାଣୁ ବୈଜ୍ଞାନିକ ପରମାଣୁ ବିସ୍ଫୋଟ କରି ଦୁନିଆର ମହାଶକ୍ତିମାନଙ୍କୁ ଜଣାଇଥିଲେ ଯେ ନିଜ ଶକ୍ତିକୁ ନେଇ ଗର୍ବ ଅନୁଭବ କରି ଭାରତକୁ ଏହାର ଶିକାର ନ ବନାନ୍ତୁ ନଚେତ୍ ଭାରତର ପରମାଣୁ ନାମକ ସିଂହ ଜାଗିଉଠିଲେ ସଂପୁର୍ଣ୍ଣ ଦେଶକୁ ବିଧ୍ୱସଂ କରିଦେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପରମାଣୁ ପରୀକ୍ଷଣ ପରେ ୨୪ ବର୍ଷ ପର୍ଯ୍ୟନ୍ତ ରାଜନୀତିକ ନେତୃତ୍ୱରେ ଇଚ୍ଛାଶକ୍ତି ଅଭାବରୁ ଭାରତର ପରମାଣୁ କାର୍ଯ୍ୟକ୍ରମର ଦିଗରେ କୌଣସି ହଲଚଲ ହୋଇନାହିଁ । ୧୯୯୮ ରେ କେନ୍ଦ୍ରୀୟ ଶାସନରେ ରାଜନୈତିକ ପରିବର୍ତ୍ତନ ହେଲା ଏବଂ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ବାଜପେୟୀ ନିଜର ନିର୍ବାଚନ ଅଭିଯାନରେ ଭାରତକୁ ପରମାଣୁ ଶକ୍ତି ଉପହାର ଦେବାର ନାରା ଦେଇଥିଲେ । ଶାସନକୁ ଆସିବାର ୨ ମାସ ମଧ୍ୟରେ ହିଁ ସେ ବୈଜ୍ଞାନିକମାନଙ୍କୁ ଯଥାଶୀଘ୍ର ଦ୍ୱିତୀୟ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ୧୯୯୫ ମସିହାରେ ଭାରତର ପରମାଣୁ ପରୀକ୍ଷଣର ପ୍ରସ୍ତୁତି ବିଷୟରେ ଆମେରିକାକୁ ଖବର ମିଳିସାରିଥିଲା । ଏଥି କାରଣରୁ ଅଭିଯାନର ପ୍ରସ୍ତୁତିକୁ ଗୋପନୀୟ ରଖାଯାଇଥିଲା । ଏମିତିକି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ଅଭିଯାନ ବିଷୟରେ ଜ୍ଞାତ ନଥିଲା । ସମ୍ପୁର୍ଣ୍ଣ ଅଭିଯାନର ରଣନୀତି ବିଷୟରେ କିଛି ବରିଷ୍ଠ ବୈଜ୍ଞାନିକ,ସୈନ୍ୟ ଅଧିକାରୀ ଏବଂ ରାଜନେତା ହିଁ ସମ୍ପୃକ୍ତ ଥିଲେ । ପୂର୍ବତନ ରାଷ୍ଟ୍ରପତୀ ଏପିଜେ ଅବଦୁଲ୍ କଲାମ୍ ଏବଂ ରାଜଗୋପାଲ୍ ଚିଦାମ୍ବରମ୍ ଏହି ଅଭିଯାନର ନେତୃତ୍ୱଭାର ସମ୍ଭାଳିଥିଲେ । ତାଙ୍କ ସହ ଡା.ଅନିଲ୍ କାକୋଡକର ସମେତ ଆଠ ବୈଜ୍ଞାନିକଙ୍କ ଗୋଟିଏ ଟିମ୍ ସହଯୋଗ କରୁଥିଲେ । ଅଭିଯାନରେ ଭୂମିରେ ୫୮ ଜଣ ଇଞ୍ଜିନିୟର ସହଯୋଗ କରିଥିଲେ ।
ଭାରତର ପରମାଣୁ ଦକ୍ଷତା ଉଚ୍ଚସ୍ତରୀୟ ହୋଇଯାଇଥିଲା ଏବଂ ଦୁନିଆକୁ ଭାରତର ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ପ୍ରମାଣ ଦେବାର ସମୟ ମଧ୍ୟ ଆସିଯାଇଥିଲା । ତେଣୁ ଏହି ଅଭିଯାନର ନାଁ ମଧ୍ୟ ‘ଶକ୍ତି’ ରଖାଯାଇଥିଲା । ଶେଷରେ ମେ ୧୧ ପରେ ପୋଖରଣରେ ପରମାଣୁର ଦ୍ୱିତୀୟ ପରୀକ୍ଷଣ ମଧ୍ୟ କରାଯାଇଥିଲା । ଏହା ୫ ଡିଭାଇଜର ଏକ ପରୀକ୍ଷଣ ଥିଲା । ଏହି ପରୀକ୍ଷଣର ସଫଳତା ପରେ ପ୍ରଧାନମନ୍ତ୍ରୀ ବାଜପେୟୀ ସମ୍ପୁର୍ଣ୍ଣ ଟିମକୁ ଏହାର ଅଭିନନ୍ଦନ ଜଣାଇଥିଲେ । ସେତେବେଳେ ଭାରତର ପରମାଣୁ ଶକ୍ତିର ପ୍ରଦର୍ଶନ ଦୁନିଆକୁ ଚମକାଇବାକୁ ଯଥେଷ୍ଟ ଥିଲା ଏବଂ ଦୁନିଆର କିଛି ସ୍ଥାନରେ ଏହାର ପ୍ରତିରୋଧ ହେବାକୁ ମଧ୍ୟ ଲାଗିଥିଲା । ଏହାର ଜବାବରେ ଶତ୍ରୁଦେଶ ପାକିସ୍ତାନ ମଧ୍ୟ କିଛି ଦିନ ପରେ ପରମାଣୁ ବିସ୍ଫୋଟ କରିଥିଲା । ଏହାପରେ ଭାରତ ତରଫରୁ ସ୍ପଷ୍ଟ କରାଯାଇଥିଲା ଯେ ପରମାଣୁ ଶାନ୍ତିପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯିବାକୁ ଉଦେ୍ଧଶ୍ୟ ରହିଛି ଏବଂ ଏହାଦ୍ୱାରା ଭାରତ ନାଭିକୀୟ ହତିଆର ପ୍ରସ୍ତୁତି କରିବାର ଉଦେ୍ଧଶ୍ୟ ରଖୁନାହିଁ ।
ଅଟଳଙ୍କ ଉଦେ୍ଧଶ୍ୟ ଉପରେ ପାଣିପାଗ ସାଜିଥିଲା ସମସ୍ୟା : DRDOର ବୈଜ୍ଞାନିକ ମନଜୀତ୍ ସିଂହଙ୍କ ମୁତାବକ, ୧୯୯୮ ମେ ୧୧ରେ ପ୍ରତିକୂଳ ପବନର ବେଗ କରଣରୁ ପୋଖରଣ୍ ପରୀକ୍ଷଣ ଛଅଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ଖରାପ ଋତୁ ଏବଂ ପ୍ରବଳ ପବନ ହେବା କାରଣରୁ ପରୀକ୍ଷଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ସେହି ସମୟରେ ବାଜପେୟୀ ପରୀକ୍ଷଣର ଟିକନିଖ୍ ଖବର ନେଉଥିଲେ ଏବଂ ତାଭ୍କ ନିର୍ଦ୍ଦେଶରେ ପବନର ଦିଗକୁ ବଦଳାଇବା ପାଇଁ ପୁରା ଛଅ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା ଏବଂ ଏହାପରେ ପରୀକ୍ଷଣ ହୋଇଥିଲା ।