ଗୁଜରାଟର ନରୋଦା ଗାଁ ନରସଂହାର । ସମସ୍ତ ଅଭିଯୁକ୍ତଙ୍କୁ ଖଲାସ୍ କଲେ କୋର୍ଟ । ଜାଣନ୍ତୁ, କଣ ଥିଲା ପୂରା ଘଟଣା…

193

କନକ ବ୍ୟୁରୋ: ଗୁଜରାଟର ନରୋଦା ଗାଁ ଦଙ୍ଗା ମାମଲାରେ ସ୍ପେଶାଲ କୋର୍ଟ ରାୟ ଶୁଣାଇଛନ୍ତି । ଏସଆଇଟି ତଦନ୍ତ କରୁଥିବା ଏହି ମାମଲାରେ ଜଜ୍ ଏସ୍ କେ ବକ୍ସି ଆଜି ଶୁଣାଣି କରିବା ସହିତ ୬୮ ଜଣ ଅଭିଯୁକ୍ତଙ୍କୁ ଖଲାସ୍ କରିଛନ୍ତି । ତେବେ ୨୦୦୨ ମସିହାରେ ଏହି ଦଙ୍ଗା ମାମଲାରେ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ । ଏହାପରେ ପୋଲିସ ତଦନ୍ତ କରିବା ସହିତ ଏହି ମାମଲାରେ ଗୁଜରାଟ ସରକାରର ପୂର୍ବତନ ମନ୍ତ୍ରୀ ତଥ୍ୟା ବିଜେପି ନେତା ମାୟା କୋଡନାନୀ ଏବଂ ବଜରଙ୍ଗ ଦଳର ନେତା ବାବୁ ବଜରଙ୍ଗୀ ସମେତ ୮୬ ଜଣଙ୍କୁ ଅଭିଯୁକ୍ତ କରିଥିଲା ।

ତେବେ ଦୀର୍ଘ ୨୧ ବର୍ଷ ପରେ ଏହି ମାମଲାର ରାୟ ଆସିଛି । ଏହା ଭିତରେ ଅଭିଯୁକ୍ତଙ୍କ ଭିତରୁ ୧୮ ଜଣଙ୍କ ଦେହାନ୍ତ ହୋଇସାରିଥିବାବେଳେ, ବାକି ଅଭିଯୁକ୍ତଙ୍କୁ ଆଜି ଖଲାସ କରିଛନ୍ତି ସ୍ପେଶାଲ କୋର୍ଟ ।

ସୂଚନାଯୋଗ୍ୟ ଯେ, ୨୦୦୨ ମସିହାରେ ଗୋଧ୍ରାରେ ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣାରେ ୫୮ ଜଣ ଲୋକ ପ୍ରାଣ ହରାଇଥିଲା । ଗୋଧ୍ରା ଦଙ୍ଗାର ପର ଦିନ ହିଁ ବନ୍ଦ ପାଳନ କରିବାକୁ ଘୋଷଣା କରାଯାଇଥଲା । ଏହି ସମୟରେ ହିଁ ଅହମ୍ମଦାବାଦର ନରୋଦା ଗାଁରେ ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ସେତେବେଳେ ଏହି ହିଂସାକାଣ୍ଡରେ ୧୧ ଜଣ ପ୍ରାଣ ହରାଇବା ସହିତ, ସାରା ଗୁଜୁରାଟରେ ଦଙ୍ଗା ବ୍ୟାପିଥିଲା । ପରେ ପରେ ଏହି ଘଟଣାରେ ଏସଆଇଟି ଯାଞ୍ଚ ହୋଇଥିଲା । ଏସଆଇଟି ଏହି ଦଙ୍ଗାରେ ପ୍ରଥମ ମାୟା କୋଡନାନୀଙ୍କ ମୁଖ୍ୟ ଅଭିଯୁକ୍ତ କରିଥିଲା । ଯିଏକି ରାଜ୍ୟ ସରକାରରେ ପୂର୍ବତନ ମନ୍ତ୍ରୀ ଥିଲେ ।

ନରୋଦା ନରସଂହାର ମାମଲରେ ଦୋଷୀଙ୍କ ଉପରେ ଧାରା ୩୦୨ (ହତ୍ୟା), ୩୦୭(ହତ୍ୟା ଉଦ୍ୟମ), ୧୪୩, ୧୪୭ (ଦଙ୍ଗା),୧୪୮,୧୨୯ ବି, ୧୫୨ ଅନୁସାରେ କେସ୍ ରୁଜୁ କରାଯାଇଥିଲା । ତେବେ ଏହା ପୂର୍ବରୁ କୋଡନାନୀଙ୍କୁ ସ୍ପେଶାଲ କୋର୍ଟ ୨୮ ବର୍ଷର ସଜ୍ଜା ଶୁଣାଇଥିଲେ । ହେଲେ ପରେ ହାଇକୋର୍ଟ କିନ୍ତୁ କୋଡନାନୀଙ୍କୁ ଛାଡି ଦେଇଥିଲେ । ଏହାପରେ ୨୦୦୯ ମସିହାରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ମାମଲାରେ ୧୮୭ ଜଣଙ୍କୁ ପଚରାଉଚୁରା କରାଯାଇଥିଲା । ଖାଲି ସେତିକି ନୁହେଁ ଏହି ଘଟଣାରେ ୫୭ ଜଣଙ୍କୁ ପ୍ରତ୍ୟେକ୍ଷ ସାକ୍ଷୀ କରି ପଚରାଉଚୁରା କରାଯାଇଥିବାବେଳେ, ଦୀର୍ଘ ୧୩ ବର୍ଷ ଧରି ଏହାର ଶୁଣାଣି ଚାଲିଥିଲା ।