ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ଜାମିନ୍ । କେନ୍ଦ୍ରମନ୍ତ୍ରୀ କହିଲେ, ‘ସତ୍ୟମେବ ଜୟତେ, ଧର୍ମର ଜୟ’ ।

148

କନକ ବ୍ୟୁରୋ: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଗତ ଫେବୃୟାରୀ ୨୮ ତାରିଖରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୋଲିସ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ ସେମାନଙ୍କୁ ଜେଲ୍ ଯିବାକୁ ପଡିଥିଲା । ଏହି ଘଟଣାକୁ ୫୦ ଦିନରୁ ଉର୍ଦ୍ଧ୍ୱ ହେଲାଣି।

ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା କିନ୍ତୁ ପୋଲିସ ପ୍ରଶାସନ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ବ୍ୟବହାର କରିଥିଲା, ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟପଟେ ଆଜି ମାନ୍ୟବର ହାଇକୋର୍ଟ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦେଶ ଆଇନବ୍ୟବସ୍ଥାକୁ ଆମେ ସମ୍ମାନ ଜଣାଉଛୁ । ସତ୍ୟମେବ ଜୟତେ, ଧର୍ମର ଜୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି।