ବାହାଘର ପାଇଁ ଅଫିସ୍ ଛୁଟି ! ଚେୟାର ଫାଙ୍କା କରି ବସରେ ଗଲେ, ସେଲ୍ଫି ଉଠାଇଲେ । ବିବାଦରେ ଭୋଜି ଖିଆ ଘଟଣା

1,244

କନକ ବ୍ୟୁରୋ: ସରକାରୀ ଅଫିସରେ ସବୁ ସମ୍ଭବ । ଅଫିସ ଖୋଲା ଥିବ, ଅଫିସର ନଥିବେ । ଚେୟାର ଫାଙ୍କା ଥିବ, ବାବୁ ବୁଲିବାକୁ ଯାଇଥିବା । ଭୋଜିଭାତ ହେଉଥିବ, ଖଟିମଜା ହେଉଥିବ, ହେଲେ ଲୋକଙ୍କ କାମ ହେଉନଥିବା । ଲୋକେ କାମ ପାଇଁ ତରତର ହେଉଥିବେ ମାତ୍ର ଅଫିସରଙ୍କ ହାତ ଧିମେଇ ଯାଉଥିବ । ଆଉ ଯଦି କାମ ନଥିବ ତେବେ କବାଟକୁ ଦର ଆଉଜା କରି ଢୁଳାଉଥିବେ ଅଫିସର । ଏମିତି ସବୁ ବିରଳ ଦୃଶ୍ୟ କେବଳ ସରକାରୀ ଅଫିସରେ ହିଁ ଦେଖିବାକୁ ମିଳେ ବୋଲି ଅଭିଯୋଗ ହୁଏ । ଖାଲି ଅଭିଯୋଗ ନୁହେଁ ଏମିତି ଘଟଣା ଆଗରୁ ଅନେକ ଥର ସାମ୍ନାକୁ ମଧ୍ୟ ଆସିଛି । ତେବେ ଏବେ କେନ୍ଦ୍ରାପଡା ରାଜକନିକାରୁ ସମାନ ଚିତ୍ର ଆସିବା ପରେ ବିବାଦୀୟ ହୋଇଛି ବାବୁଙ୍କ ବିବାହ ଭୋଜି ଖିଆ ।

ତେବେ ସୂଚନାନୁସାରେ ଗତକାଲି ରାଜକନିକା ବ୍ଲକ ଓ ତହସିଲ ଅଫିସରେ ଦେଖିବାକୁ ମିିଳିଥିଲା ଅଭାବନୀୟ ଦୃଶ୍ୟ । ନିଜର ଅସୁବିଧା ଓ ସରକାରୀ ସୁବିଧା ପାଇବାକୁ ବ୍ଲକ ଅଫିସ ଆସିଥିଲେ ସାଧାରଣ ଲୋକେ ହେଲେ ଅଫିସରେ ନଥିଲେ ଅଫିସର । ବରଂ ଚେୟାର ଟେବୁଲ ଫାଙ୍କା ପଡିଥିଲା । କୌଣସି ଅଫିସର ନଥିବାରୁ ବିଭିନ୍ନ ବିଭାଗରେ ତାଲା ପଡିଥିଲା । ଆଉ ଲୋକେ ସୁବିଧା ନପାଇ ଅସନ୍ତୋଷ ପ୍ରକାଶ କରିଥିଲେ ।
ବ୍ଲକରେ ଅଫିସର ନଥିବା କଥା ବୁଝୁବୁଝୁ ଜଣା ପଡିଲା କି ସବୁ ବାବୁ ମାନେ ବଡବାବୁ ମାନେ ବିଡିଓଙ୍କ ଭାଇଙ୍କ ବାହାଘର ଭୋଜି ଖାଇବାକୁ ଯାଇଛନ୍ତି । ବିଡିଓ ଓ ତହସିଲଦାର ଦାୟିତ୍ୱରେ ଥିବା ଡି.ଏସ ଶୁଭଦର୍ଶୀ ଯୋଶୀ ୮ ଦିନ ହେଲା ଛୁଟିରେ ଅଛନ୍ତି । ନିଜ ଭାଇ ବାହାଘର ପାଇଁ ସେ ଛୁଟିରେ ଥିବା ବେଳେ ଭୋଜି ଖାଇବା ପାଇଁ ଗତକାଲି ଅନ୍ୟ ଅଫିସରମାନେ ଯାଇଥିଲେ । ଭୋଜି ପାଇଁ ବରଗଡ ଯିବାକୁଥିବାରୁ ସମସ୍ତେ ଏକ ବସ କରି ବାହାରି ଯାଇଥିଲେ ଆଉ ଜଣେ ପିଅନକୁ ଜଗାଇ ଦେଇ ଯାଇଥିଲେ ବୋଲି କହିଛନ୍ତି ଲୋକେ । ତେବେ ଭୁଲ ଧରିବା ପରେ ସମସ୍ତେ ଛୁଟି ଦରଖାସ୍ତ ଦେଇ ଯାଇଥିବା ଛେପ ଢୋକି ଥଙ୍ଗେଇ ମଙ୍ଗେଇ କହିଛନ୍ତି ଅତିରିକ୍ତ ତହଲିଦାର ଦାୟିତ୍ୱରେ ଥିବା ଅଫିସର ଶୁଭ୍ରାଂଶୁ ସାହୁ ।

ବାହାଘର ଭୋଜି ପାଇଁ ସରକାରୀ ଅଫିସରେ ଚେୟାର ଖାଲି କରି ବରଗଡକୁ ଯାଇଥିବା ଅଫିସରଙ୍କ ଆସିବା ବାଟକୁ ଚାହିଁ ରହି ଦିନ ତମାମ ଜଗିଥିଲୁ ଆମେ । ହେଲେ ସାରା ଦିନ ଖାଲି ଚେୟାର, ଖାଲି ଟେବୁଲ ଓ ତାଲା ଝୁଲୁଥିବା କବାଟକୁ ଦେଖିବାକୁ ମିଳିଥିଲେ ହେଁ କୌଣସି ଅଧିକାରୀଙ୍କ ବାହୁଡା ପର୍ବ ହୋଇନଥିଲା । ତେବେ ଭୋଜି ଖାଇବାକୁ ବ୍ଲକ ଓ ତହସିଲ ଅଫିସର ସବୁ କର୍ମଚାରୀ ଚାଲିଯିବା ପରେ ସରକାରୀ ବାବୁଙ୍କ ଖାମଖିଆଲୀ ଓ ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଏକା ସାଙ୍ଗରେ ସବୁ କର୍ମଚାରୀ କେମିତି ଛୁଟିରେ ଗଲେ ଆଉ ତୃଣମୂଳସ୍ତରରେ ସରକାରୀ ଅଫିସରେ କେମିତି କାମ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସରକାରୀ କାମରେ ଅବହେଳା କରିଥିବା କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ମଧ୍ୟ ହୋଇଛି ।