ବିମୁଦ୍ରାକରଣ ଯୋଗୁଁ ଦୁର୍ବଳ ହୋଇଛି ଦେଶର ଅର୍ଥନୀତି ! ବିବୃତି ରଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

58

କନକ ବ୍ୟୁରୋ : ବିମୁଦ୍ରାକରଣ ଯୋଗୁଁ ଦେଶର ଅର୍ଥନୀତି ଦୁର୍ବଳ ହେବା ସହ ଜିଡିପି ୨ ପ୍ରତିଶତ କମିଛି । ରାଜ୍ୟସଭାରେ ବିବୃତି ରଖି ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଶୀତ ଅଧିବେଶନ ଆରମ୍ଭରୁ ସଂସଦରେ ହଟ୍ଟଗୋଳ ଚାଲିଥିବା ବେଳେ ଆଜି ରାଜ୍ୟସଭାରେ ବିମୁଦ୍ରାକରଣ ପ୍ରସଙ୍ଗରେ ବିତର୍କ ହୋଇଛି । ଏହାସହ ବଡ ନୋଟ ଅଚଳ ଯୋଗୁଁ ଦେଶରେ ୬୦ରୁ ୬୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମନମୋହନ ସିଂହ କହିଛନ୍ତି ।

ତେବେ କଂଗ୍ରେସ ବିମୁଦ୍ରାକରଣକୁ ବିରୋଧ କରୁନାହିଁ, ଲୋକଙ୍କ ସମସ୍ୟାର ସମାଧାନ ଦାବି କରୁଛୁ । ପୁରୁଣା ବଡ ନୋଟ ଅଚଳ ହେବା ଯୋଗୁଁ ଲୋକଙ୍କର ହେଉଥିବା ଅସୁବିଧାର ତୁରନ୍ତ ସମାଧାନ କରାଯିବ ଜରୁରୀ । ଏନେଇ ସବୁ ବେଳେ ନୂଆ ନିୟମ ଲାଗୁ କରିବା ଠିକ୍ ନୁହେଁ । ଗରିବଙ୍କ ପାଇଁ ୫୦ ଦିନର ଅପେକ୍ଷା ପୀଡାଦାୟକ ।

୯୦ ପ୍ରତିଶତ ଲୋକ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି ବୋଲି ରାଜ୍ୟସଭାରେ ବିବୃତି ରଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ଅଚଳ ପରେ କ୍ଷୁଦ୍ର ଶିଳ୍ପ ଓ କୃଷି ପ୍ରଭାବିତ ହୋଇଛି । ତେବେ ଆଜି ରାଜ୍ୟସଭାରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ମୋଦି ଲୋକସଭାରେ ଉପସ୍ଥିତ ରହି ମଧ୍ୟ ଏ ପ୍ରସଙ୍ଗରେ କୌଣସି ବିବୃତି ରଖିନଥିଲେ ।