ପାଖାପାଖି ୭ ଦିନ ବିଳମ୍ବରେ ମୌସୁମୀ ଛୁଇଁଲା କେରଳ । ଆରବ ସାଗରରେ ‘ବିପର୍ଯ୍ୟୟ’ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉତର ଦିଗ ମୁହାଁ

94

କନକ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ୭ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ତେବେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଚେତାବନୀ ଦେଇଛି ଯେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ କାରଣରୁ ମୌସୁମୀର ପ୍ରଭାବ ବର୍ତମାନ ଏତେଟା ରହିବ ନାହିଁ । ଜୁନ୍ ୧ରେ ମୌସୁମୀ କେରଳରେ ପହଂଚିବାର ଥିଲା, କିନ୍ତୁ ୭ ଦିନ ବିଳମ୍ବରେ ଏଥର କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରର ଅଧିକାଂଶ ଅଂଚଳ ସମେତ ସମଗ୍ର କେରଳ ଓ ତାମିଲନାଡୁ ସହ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ଉତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଏବଂ ପରେ କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ । ଏହାପୂର୍ବରୁ ଗତ ବର୍ଷ (୨୦୨୨) ମେ ୨୯, ୨୦୨୧ରେ ୩ ଜୁନ୍ ଏବଂ ୨୦୨୦ରେ ଜୁନ୍ ୧, ୨୦୧୯ରେ ଜୁନ ୮ ଏବଂ ୨୦୧୮ରେ ମେ ୨୯ରେ ମୌସୁମୀ କେରଳ ଛୁଇଁଥିଲା । କିନ୍ତୁ ଚଳିତ ବର୍ଷ ୮ ଦିନ ବିଳମ୍ବରେ ପହଂଚିଛି ।

ସେପଟେ ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ଅଧିକ ଘନୀଭୂତ ହୋଇ ଏକ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ଏବଂ ଏହା ଉତର ଦିଗକୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ବୁଧବାର ପ୍ରକାଶ କରିଛି । ୨୪ ଘଂଟା ଭିତରେ ବାତ୍ୟା ଉତରମୁହାଁ ହୋଇ ଗତି କରିବା ସହ ପରେ ପରବର୍ତୀ ୩ ଦିନ ଉତର, ଉତର-ପଶ୍ଚିମ ଆଡ଼କୁ ଗତି କରିବ । ବାତ୍ୟା ଯୋଗୁଁ ସମୁଦ୍ର ମଧ୍ୟରେ ପବନର ବେଗ ଘଂଟା ପ୍ରତି ୧୩୫ରୁ ୧୪୫ କିଲୋମିଟରରେ ପବନ ବୋହୁଥିବା ସୂଚନା ରହିଛି । ଆସନ୍ତା ୩ରୁ ୪ ଦିନରେ ଭିତରେ ଏହା ଘଂଟା ପ୍ରତି ୧୬୦ କିମ ଛୁଇଁପାରେ ବୋଲି ଆକଳନ କରାଯାଉଛି ।