ଧାଡିଦର୍ଶନ ଉପରେ ଆପତ୍ତି ଉଠାଇଲେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ । ମହେଶ୍ୱର କହିଲେ, ନିଷ୍ପତିର କରାଯାଉ ପୁନର୍ବିଚାର

34

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ପୁରୀରେ ଧାଡି ଦର୍ଶନ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ଏଭଳି ବ୍ୟବସ୍ଥାକୁ ବିରୋଧ କରିଛନ୍ତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି । ଖୋଲାଖୋଲି କହିଛନ୍ତି, ସୁପ୍ରିମକୋର୍ଟଙ୍କ ଧାଡି ଦର୍ଶନ ନିଷ୍ପତି ଉପରେ ଆଉ ଥରେ ବିଚାର ବିମର୍ଷ ହେବା ଆବଶ୍ୟକତା ରହିଛି । ଏନେଇ ସୁପ୍ରିମକୋର୍ଟରେ ପୁନଃ ଆବେଦନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆମିକସ କ୍ୟୁରୀ ଆସିଲେ , ତାଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ ବୋଲି କହିଛନ୍ତି ପୁରୀ ବିଧାୟକ ।

ଏପଟେ ତୀର୍ଥକ୍ଷେତ୍ର ପୁରୀରେ ଗତ ୩ ତାରିଖରେ ଘଟିଥିବା ବିଶୃଙ୍ଖଳା ପାଇଁ ଗିରଫଦାରୀ ଜାରି ରହିଛି । ଦୁଇ ଦିନରେ ୨୧ ଜଣଙ୍କୁ ବାନ୍ଧିସାରିିଲାଣି ପୁରୀ ପୋଲିସ । ସିସିଟିଭି ଫୁଟେଜ୍ ଦେଖି ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି । ପୁରୀରେ ବ୍ୟାପକ ଭଂଗାରୁଜା ଓ ପୋଡାଜଳାରେ ସ୍ଥାନୀୟ ବ୍ୟବସାୟୀଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି ଏସପି।

ଏସବୁ ଭିତରେ ପୁରୀ ହିଂସାକାଣ୍ଡ ସମ୍ପର୍କିତ ରିପୋର୍ଟ, ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଦିଆଯାଇଛି । ଘଟଣା ପରଦିନ ଶ୍ରୀମନ୍ଦିର ପ୍ରଶାସନକୁ ହିଂସାକାଣ୍ଡର ବିସ୍ତୃତ ରିପୋର୍ଟ ମାଗିଥିଲେ ଆମିକସକ୍ୟୁରୀ । ଏପରିକି ପୋଡାଜଳା ଓ ଭଂଗାରୁଜାର ଭିଡିଓ ଫୁଟେଜ୍ ଦେବାକୁ କହିଥିଲେ । ରିପୋର୍ଟ ପାଇବା ପରେ ଅନୁଧ୍ୟାନ କରି, ଅତିଶୀଘ୍ର ଆମିକସ କ୍ୟୁରୀ ପୁରୀ ଆସିବେ ବୋଲି ଜଣାପଡିଛି ।

ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଏବଂ ପରେ ଆମିକସ କ୍ୟୁରୀଙ୍କ ସୁପାରିଶରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି, ଧାଡି ଦର୍ଶନ ବ୍ୟବସ୍ଥା । ହେଲେ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ଜଳିଛି ଅଶାନ୍ତିର ନିଆଁ । ଏବେ ଖୋଦ୍ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବି ଧାଡି ଦର୍ଶନ ବ୍ୟବସ୍ଥା ଉପରେ ଆପତି ଉଠାଇଛନ୍ତି ।