ମନ୍ତ୍ରୀଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି । ଶାସକ ଦଳକୁ ଘେରିଲେ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

418

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ଲାଗିଛି ରାଜନୀତିର ରଙ୍ଗ । ଶାସକ ଦଳକୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନବ ଦାସଙ୍କ ହତ୍ୟା ପଛରେ ଶୀର୍ଷସ୍ତରର ଲୋକଙ୍କ ସଂପୃକ୍ତି ସନ୍ଦେହ କରିଛି କଂଗ୍ରେସ । ଏହାସହ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ । ସମାନ ଢ଼ଙ୍ଗରେ ଏକାଧିକ ପ୍ରଶ୍ନ ଉଠାଇଛି ବିଜେପି । ସେପଟେ ବିସ୍ପୋରକ ବୟାନ ଦେଇ ଜୟନାରାୟଣ ମିଶ୍ର କହିଛନ୍ତି, ଘଟଣାସ୍ଥଳରେ ନବ ଦାସଙ୍କ ମୃତ୍ୟୁ ହୋଇଥିବା ତାଙ୍କୁ ସୂଚନା ମିଳିଛି । ଯାହାର ଜବାବ ରଖିଛି ବିଜେଡି ।

ଯେଉଁ ହତ୍ୟା ଘଟଣା ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା, ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କ୍ୟାବିନେଟ୍ ମନ୍ତ୍ରୀ ଥିବା ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଶାସକ ଦଳକୁ ଘେରିବାକୁ ଓହ୍ଲାଇ ଆସିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । କଂଗ୍ରେସ ମୁଖପାତ୍ର ସିଧାସଳଖ ଅଭିଯୋଗ କରି କହିଛନ୍ତି- ନବ ଦାସଙ୍କ ହତ୍ୟା ପଛରେ ଶୀର୍ଷସ୍ତରର ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ କହିଛନ୍ତି, ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ସାମନ ଢ଼ଙ୍ଗରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସଭାପତି । ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ କାହିଁକି ମନ୍ତବ୍ୟ ରଖି ନାହାଁନ୍ତି? ଜଣେ ପୁଲିସ ହତ୍ୟା କରିବ, ଆଉ ଜଣେ ପୁଲିସ କେମିତି ତଦନ୍ତ କରିବ? ବୋଲି ପ୍ରଶ୍ନ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କହିଛନ୍ତି ସମୀର ମହାନ୍ତି । ଏପଟେ ଉଭୟ ବିଜେପି ଓ କଂଗ୍ରେସର ଅଭିଯୋଗର ଜବାବ୍ ରଖିଛି ବିଜେଡି ।

ରାଜନୀତିର ବୟାନବାଜି ଭିତରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଯାଇ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ଅଭିଯୋଗ କରି କହିଛନ୍ତି- ସେଦିନ ଘଟଣା ସ୍ଥଳରେ ନବଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ସ୍ଥାନାନ୍ତର କରିବା ପୂର୍ବରୁ ସ୍ଥାନୀୟ ହସ୍ପିଟାଲ କର୍ତୃପକ୍ଷ ସ୍ଥାନାନ୍ତର ପାଇଁ ଅନୁମତି ଦେଇଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଏପଟେ ଜୟନାରାୟଣଙ୍କ ଏଭଳି ବୟାନକୁ ନେଇ ଚିହିଁକି ଉଠିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ସେ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ଜୟନାରାୟଣ ଜଣେ ହତ୍ୟା ଅଭିଯୁକ୍ତ ହୋଇଥିବାରୁ ତାଙ୍କ ମନରେ ଭୟ ଅଛି ବୋଲି ବିଜେଡି ଅଭିଯୋଗ କରିଛି । ତେବେ ରାଜନୀତିର ଏହି ବୟାନବାଜି ଭିତରେ ହତ୍ୟା ପଛର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।