ଖଣି ଓ ଖଣିଜ ପଦାର୍ଥ ନିଲାମ ନିୟମରେ ହେବ ପରିବର୍ତ୍ତନ

40

କନକ ବ୍ୟୁରୋ: କେନ୍ଦ୍ର ସରକାର ଖଣି ଓ ଖଣିଜ ପଦାର୍ଥ ନିଲାମ ନିୟମରେ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି । ଏହାର ଚିଠାପ୍ରସ୍ତାବ ଅଗଷ୍ଟରେ ଜାରି କରିବାକୁ ଯୋଜନା ରଖାଯାଇଛି । ନିଲାମ ବେଳେ ଖଣି ଗୁଡ଼ିକୁ ନିବେଶକଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ନିୟମରେ ପରିବର୍ତ୍ତନ ଅଣାଯିବ ।

ପ୍ରଚଳିତ ନିୟମରେ ଯେଉଁ ଛୋଟ ଛୋଟ ତ୍ରୁଟି ରହିଛି ସେଥିରେ ସଂଶୋଧନ ଅଣାଯିବ । ଏହି ନିୟମ ଗୁଡ଼ିକ ଉପରେ ଶିଳ୍ପ ସଂଘ ଏବଂ ବିଡରମାନେ ବିଭିନ୍ନ ସମୟରେ ଆପତ୍ତି ଉଠାଉଛନ୍ତି । ଶିଳ୍ପ ସଂଘ ଆସୋଚାମ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏହି କଥା କେନ୍ଦ୍ର ଖଣି ସଚିବ ଅରୁଣ କୁମାର କହିଛନ୍ତି ବୋଲି ଉଲ୍ଲେଖ କରାଯାଇଛି ।

ଖଣିଜ ନିଲାମ ନିୟମ ୨୦୧୫ରେ ସଂଶୋଧନ ଆଣିବା ପାଇଁ ଚିଠା ପ୍ରସ୍ତାବକୁ ଖଣି ମନ୍ତ୍ରାଳୟ ପ୍ରସ୍ତୁତ କରିବା ଆରମ୍ଭ କରିଛି । ନିଲାମ ନିୟମରେ କ୍ୟାପ୍ଟିଭ ଖଣିର ସଂଜ୍ଞା ପୂର୍ବଭଳି ସମାନ ରହିବ । ତେବେ ଏହିଭଳି ଖଣିଗୁଡ଼ିକରୁ ଉତ୍ପାଦନ ହେଉଥିବା କିଛି ପରିମାଣର ଖଣିଜ ପଦାର୍ଥ ଯେଭଳି ନିଲାମ କରାଯାଇପାରିବ ସେ ନେଇ ଆଇନରେ ସଂଶୋଧନ ଅଣାଯିବ ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୧.୫୬ ଲକ୍ଷ କୋଟି ଟଙ୍କା ସମ୍ବଳ ଗଚ୍ଛିତ ଥିବା ୨୯ଟି ଖଣିର ନିଲାମ କରିଛନ୍ତି । ଚଳିତବର୍ଷ ଆଉ କିଛି ଖଣି ନିଲାମ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।