ଡାକ୍ତର ଛୁଟିରେ ରୋଗୀ ଧାଡିରେ ! ଭଗବାନଙ୍କ ଭରସାରେ ଡାକ୍ତରଖାନା, ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଅଜବ ଚିକିତ୍ସା ବ୍ୟବସ୍ଥା

46

କନକ ବ୍ୟୁରୋ : ଚେୟାର ଫାଙ୍କା ପଡ଼ିଛି । ବାହାରେ ରୋଗୀଙ୍କ ଲମ୍ବା ଧାଡ଼ି । ପଛୁଆ ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜୟପୁର ଉପଖଣ୍ଡ ଚିକିତ୍ସାଳୟ । ଗୋଟିଏ ଦିନରେ ସବୁ ଡ଼ାକ୍ତର ଛୁଟିରେ ଯିବାରୁ ରୋଗୀ ହନ୍ତସନ୍ତ ହୋଇଛନ୍ତି । ଜୟପୁର ମେଡ଼ିକାଲରେ ଅଜବ ଚିକିତ୍ସା ବ୍ୟବସ୍ଥା ।

ଅବିଭକ୍ତ କୋରାପୁଟ ଜିଲ୍ଳରା ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁର ସହରର ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ଚାମ୍ବର ଭିତରେ ଚାଲିଛିି ଚିକିତ୍ସା । ବାକି ସବୁ ଛୁଟିରେ । ବର୍ହିବିଭାଗ ଖାଲି, ଡ଼ାକ୍ତର ଖାନା ଖାଲି । ରୋଗିଙ୍କ ଲମ୍ବା ଧାଡ଼ି ଲାଗିଛି । ଚିକିତ୍ସାଳୟକୁ ପ୍ରତିଦିନ ଆଖପାଖ ଅଚଂଳ ଠାରୁ ଆରମ୍ବ କରି ଦୁରଦୁରାନ୍ତରୁ ହଜାର ହଜାର ରୋଗୀ ଙ୍କ ଭିଡ଼ ଜମିଥାଏ । ହେଲେ ଆବଶ୍ୟକତା ଥିବା ୨୨ ଜଣ ଡ଼ାକ୍ତରଙ୍କ ମଧ୍ୟରୁ ମାତ୍ର ରହିଛନ୍ତି ୮ ଜଣ, ସେମାନେ ବି ଆଜି ସବୁ ଅନୁପସ୍ଥିତ । ଏଭଳି ସ୍ଥିତିରେ ମେଡ଼ିକାଲରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । କୌଣସି ଡ଼ାକ୍ତର ମେଡ଼ିକାଲ ପରିସରରେ ନାହାନ୍ତି । ସମସ୍ତେ ଛୁଟିରେ ରହିଥିବା କଥା ସୂଚନା ମିଳୁଥିବା ବେଳେ ଚାମ୍ବର ଭିତରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ।

ଅଭାବି ଡ଼ାକ୍ତର ସାଙ୍ଗକୁ ରୋଗୀ ସେବା ମଧ୍ୟ ମିଳୁନାହିଁ । । ଯେଉଁ ଡ଼ାକ୍ତର ମାନେ ଆସୁଛନ୍ତି ସେମାନେ ସବୁ ଛୁଟିରେ ପଳାଇଯାଉଛନ୍ତି । ଅଳ୍ପ ଡ଼ାକ୍ତରଙ୍କୁ ନେଇ ଚାଲିଛି ଚିକିତ୍ସା । ଆଜି ଛୁଟିରେ ସବୁ ଡାକ୍ତର ଥିବାରୁ ଚିକିତ୍ସାରେ ସେ ବ୍ୟସ୍ତ ଥିବା କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ । ଦୀର୍ଘଦିନରୁ ମେଡିକାଲରେ ଏଭଳି ସମସ୍ୟା ଦେଖାଦେଉଥିବା ବେଳେ ସରକାର ସବୁ ଜାଣି ଚୁପ । ଗୋଟିଏ ଦିନରେ ସମସ୍ତ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।