ଡାକ୍ତରଖାନାରେ ଅବ୍ୟବସ୍ଥା : ବେଡ୍ ନପାଇ ବାରଣ୍ଡାରେ ଶୋଉଛନ୍ତି ରୋଗୀ

33
କନକ ବ୍ୟୁରୋ :  ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏମ.ସି.ଏଚ ବିଲ୍ଡିଂ । ୧୦୦ ଟି ଶଯ୍ୟା ବିଶିଷ୍ଟ ଏହି ବିଲ୍ଡିଂଟି କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିିନି । ଯାହା ଫଳରେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଡାକ୍ତରଖାନାକୁ ଆସୁଥିବା ମହିଳା ଓ ଶିଶୁ ବେଡ ନ ପାଇ ତଳେ ଶୋଉଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାଟିକୁ କାର୍ଯ୍ୟକ୍ଷମ କରାଯାଇନି । ବିଶେଷ କରି ଗର୍ଭବତୀ ମହିଳାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ବିଭିନ୍ନ ଦୂରାଦୁରାନ୍ତରୁ ଆସୁଥିବା ବିଭିନ୍ନ ରୋଗୀ ମଧ୍ୟ ବେଡ ନ ପାଇ ଖର୍ଚ୍ଚାନ୍ତ ହୋଇ ବିଭିନ୍ନ ଘରୋଇ ଡାକ୍ତରଖାନାକୁ ଯାଉଥିବା ଦେଖିବାକୁ ମିଳିଛି ।
ଯାଜପୁର ଜିଲାର ଏହି ଏକମାତ୍ର ଡାକ୍ତରଖାନାରେ ପ୍ରତିଦିନ ଶହ ଶହ ରୋଗୀଙ୍କ ଭିଡ ଦେଖିବାକୁ ମିଳିିଥାଏ । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଆବଶ୍ୟକ ଅନୁଯାୟୀ  ବେଡ ନଥିବାରୁ ରୋଗୀମାନେ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ଦେଖାଦେଇଛି ପ୍ରବଳ ଅସନ୍ତୋଷ । ସେପଟେ ଏମ ସି ଏଚ ବିଲ୍ଡିଂରେ ଏପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ହୋଇନଥିବାରୁ ତାହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।
କୋଟି କୋଟି ଟଙ୍କା ବ୍ୟୟରେ ରୋଗୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ବିଲ୍ଡିଂଟି ଏ ପର୍ଯ୍ୟନ୍ତ ଲୋକଙ୍କ କାମରେ ନ ଲାଗିବା ପଛରେ କଣ କାରଣ ରହିଛି ତାକୁ ନେଇ ଦେଖାଦେଇଛି ସନ୍ଦେହ ।