ମନିଷ ସିସୋଦିଆଙ୍କ ଜାମିନ ନେଇ ଆଜି ଶୁଣାଣି : ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟରେ କରିଥିଲେ ଆବେଦନ

78

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଏହା ଦିନକ ପୂର୍ବରୁ ସିସୋଦିଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ଆଦି ଅପରାହ୍ଣରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ସିବିଆଇ ଆଉ କିଛି ଦିନ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ।

ସେପଟେ ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ । ଗତ ରବିବାର ପ୍ରାୟ ୮ ଘଂଟା ଜେରା ପରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଥିଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଖରେ ଦିଲ୍ଲୀ ସରକାରରେ ଅର୍ଥ ମନ୍ତ୍ରାଳୟ ଠାରୁ ନେଇ ଶିକ୍ଷା ବିଭାଗ ଆଦି ଥିଲା ।

ସିବିଆଇ ଦ୍ୱାରା ଗିରଫ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଗିରଫଦାରୀର ଦିନକ ପରେ ସିସୋଦିଆ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ସିସୋଦିଆ ନିଜର ଆବେଦନ ପ୍ରତ୍ୟାହାର କରିଥିଲେ ଏବଂ ତଳ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଗିରଫଦାରୀ ପରେ ଆମ୍ ଆଦମୀ ପାର୍ଟି ପ୍ରବଳ ବିରୋଧ ପ୍ରଦର୍ଶନ କରିଛି ।