ସ୍ତ୍ରୀକୁ ଅପହରଣ ଓ ହତ୍ୟା ଘଟଣାରେ ସ୍ୱାମୀ ଭୋଗିଲା ଜେଲ୍ । ଜେଲରୁ ଫେରିବା ବେଳକୁ ସ୍ତ୍ରୀ କରିଥିଲା ନୂଆ ସଂସାର

1,136

କନକ ବ୍ୟୁରୋ: ଆଜିକାଲି ପରିବାର ତଥା ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ମନୋମାଳିନ୍ୟ ଭିତରେ ଏଭଳି ଘଟଣା ଘଟୁଛି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ ନିଶ୍ଚୟ । ଏଭଳି ଏକ ଘଟଣା ଘଟିଛି ଇଟାୱାରେ ।

ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ କେଉଁଆଡେ ନିଖୋଜ କରିଦେଇଥିବା ମାମଲାରେ ସ୍ୱାମୀ ସହ ଶାଶୁ ଘର ଲୋକେ ଭୋଗିଲେ ୧୩ ମାସ ଜେଲ ଦଣ୍ଡ । ପରେ ଜାମିନରେ ଯେତେବେଳେ ବାହାରି ଆସି ପରିସ୍ଥିତି ଦେଖନ୍ତି ସେଥିରେ ସ୍ୱାମୀର ହୋସ୍ ଉଡିଯାଇଥିଲା । ଯେଉଁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ ଭୋଗିଲା ସେ ସ୍ତ୍ରୀ ଦେଖିଲାବେଳ କୁ ଆଉ ଏକ ନୂଆ ସଂସାର କରିସାରିଥିଲା । ରାଜସ୍ଥାନ ଜିୟାନପୁର, କୋତୱାଲି ସୁଖପୁର ଗାଁର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ସୂଚନା ମୁତାବକ, ଏହି ଗାଁର ଦୀପୁ ନାମକ ବ୍ୟକ୍ତି ୨୦୧୯ରେ ରୁଚି ନାମକ ଝିଅକୁ ବିବାହ କରିଥିଲେ । ବିବାହର କିଛି ଦିନ ଭଲରେ କଟିଯିବା ପରେ ଦୁହିଁଙ୍କ ଭିତରେ ମନୋମାଳିନ୍ୟ , କଥା କଟାକଟି ଆରମ୍ଭ ହୋଇଥିଲା । ଏପରି ଏକ ପରିସ୍ଥିତିକୁ ନେଇ ଦିନେ ରୁଚି ଘରୁ ବାହାରି କେଉଁଆଡେ ଚାଲିଗଲା । ଏହାର ସୁଯୋଗ ନେଇ ରୁଚିର ମା’ ଦୀପୁ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ସହ ହତ୍ୟା ଓ ମୃତଦେହକୁ ଅପହରଣ କରିଥିବା ମାମଲା ଦାଏର କରିଥିଲେ । ଏହି ମାମଲାରେ ପୁଲିସ ଦୀପୁ ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରି ଜେଲ ପଠାଇଥିଲା । ଜେଲରେ ୧୩ ମାସ କାଟି ଜାମିନରେ ଫେରିବା ପରେ ଦୀପୁ ସତ ଜାଣି ଆଶ୍ଚର୍ଯ୍ୟ ହୋଇଥିଲା ।

ଯେଉଁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ ଭୋଗିଲା, ଫେରିବା ବେଳକୁ ସେ ନିଜ ପ୍ରେମିକକୁ ବିବାହ କରି ସୁଖରେ ସଂସାର କରୁଥିଲା । ଏହି ଘଟଣା ଅନ୍ୟ ଲୋକଙ୍କଠାରୁ ଶୁଣି ପତ୍ତା ଲଗାଇବା ପରେ ଘଟଣାର ସତ୍ୟାସତ୍ୟ ଜାଣିଥିଲା । ଏହାର ପ୍ରମାଣ ଯୋଗାଡ କରି ପୁଲିସକୁ ଦେଇଥିଲା । ଏହାପରେ ପୁଲିସ ଯାଇ ରୁଚିକାକୁ ଗିରଫ କରିବା ପରେ ଏବେ ତଦନ୍ତ ଚଳାଇଛି ।