ଦଳ ଛାଡ଼ିବା ଚର୍ଚ୍ଚାକୁ ଖଣ୍ଡନ କଲେ କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳ : କହିଲେ, କଂଗ୍ରେସରେ ଅଛି, କଂଗ୍ରେସରେ ରହିବି

193

କନକ ବ୍ୟୁରୋ : କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ । ଚିରଞ୍ଜୀବୀ କିଛି ଦିନ ହେବ ଦଳ ଉପରେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏମିତିକି ସେ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଉ ଏହାରି ଭିତରେ ଚିରଞ୍ଜୀବୀଙ୍କୁ ମନାଇବା ପାଇଁ ଦଳୀୟ ନେତା ବିଜୟ ପଟ୍ଟନାୟକ ତାଙ୍କ ଘରକୁ ଯାଇଛନ୍ତି । ତେବେ ଏସବୁ ଖବରକୁ ଖଣ୍ଡନ କରିଛନ୍ତି ଖୋଦ୍ ଚିରଞ୍ଜୀବୀ । କହିଛନ୍ତି, ଦଳ ଛାଡ଼ିବା କଥା ଦୀର୍ଘଦିନରୁ ଆଲୋଚନା ହୋଇ ଆସୁଛି ।

କିନ୍ତୁ ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଭବନରେ ବସିଲେ ଭୋଟ୍ ମିଳିବନି । ୨୪ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବାକୁ ପଡ଼ିବ ବୋଲି ଚିରଞ୍ଜୀବୀ କହିଛନ୍ତି । ସେପଟେ ନିକଟରେ କଂଗ୍ରେସ ହାତ ଧରିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଚିରଞ୍ଜୀବୀଙ୍କୁ ଭେଟି ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ଚିରଞ୍ଜୀବୀଙ୍କ କଂଗ୍ରେସ ଛାଡ଼ିବା କଥାକୁ ମଧ୍ୟ ଖାରଜ କରିଛନ୍ତି ବିଜୟ ପଟ୍ଟନାୟକ ।