ଧରାପଡ଼ିଲା ମଣିଷଖିଆ ବାଘ ! ଆଶ୍ୱସ୍ତ ହେଲେ ନୂଆପଡ଼ାବାସୀ

34

କନକ ବ୍ୟୁରୋ : ଆଶ୍ୱସ୍ତ ହେଲେ ନୂଆପଡା ବାସୀ । ଧରାପଡିଲା ମଣିଷଖିଆ ବାଘ । ବନବିଭାଗ ବିଛାଇଥିବା ଯନ୍ତାରେ ପଡିଛି କଲରାପତରିଆ । ନୂଆପଡାର ଏହି ନରଖାଦକକୁ ନନ୍ଦନକାନନ ଅଣାଯାଇଛି । ଦେଢମାସ ଧରି ନୂଆପଡାର ହଳଦୀ ଜଙ୍ଗଲ ଅଂଚଳରେ ଆତଙ୍କ ଖେଳାଇଥିଲା କଲରାପତରିଆ ବାଘଟି । ମାଆ କୋଳରୁ ୪ ବର୍ଷର ଶିଶୁକୁ ଉଠାଇନେବା ସହ ଗାଁରେ ୫ ଜଣଙ୍କୁ ଆକ୍ରମଣ କରିଥିଲା । ଯାହାକୁ କାବୁ କରିବାକୁ ସ୍ୱତନ୍ତ୍ର ଅପରେସନ୍ କରିଥିଲା ବନବିଭାଗ ।

ଦେଢମାସର ଆତଙ୍କ ପରେ ବାଘ ଧରିବାକୁ ବନବିଭାଗ କରିଥିଲା ସ୍ୱତନ୍ତ୍ର ଅପରେସନ୍ । ଗାଁ ନିକଟ ଜଙ୍ଗଲରେ ବସିଥିଲା ୮ ଫୁଟ ଉଚ୍ଚର ସ୍ୱୟଂଚାଳିତ ଯନ୍ତା । ବାଘର ପ୍ରତ୍ୟକ ଗତିବିଧି ଉପରେ ନଜର ରଖିଥିଲା ସିସି କ୍ୟାମେରା । ଜଙ୍ଗଲ ଓ ପାଖ ଗାଁରେ ପଇଁତରା ମାରୁଥିଲେ ବନ କର୍ମଚାରୀ । ଶେଷରେ ଫାସରେ ପଡିଥିଲା ଏହି ଚତୁର ଯନ୍ତୁ । ଜଙ୍ଗଲରେ ବିଛାଯାଇଥିବା ଯନ୍ତାରେ ପଡିଥିଲା କଲରାପତରିଆ ।

ମେ ୨୬ ତାରିଖରେ ହଳଦୀ ଗାଁର ୪ ବର୍ଷର ଶିଶୁ ଛଗନଲାଲ ପାଣ୍ଡେକୁ ମା’ କୋଳରୁ ଉଠାଇ ନେଇଥିଲା ଏହି ମଣିଷଖିଆ ବାଘ । ସକାଳୁ ଜଙ୍ଗଲରୁ ମିଳିଥିଲା ଶିଶୁର ଖପୁରୀ ଓ ହାଡ । ମେ ୧୦ ତାରିଖ । ଘରେ ପଶି ଆଇ ଓ ନାତୁଣୀକୁ ଆକ୍ରମଣ କରିଥିଲା ଏହି କଲରାପତରିଆ । ଶୀକାର ସନ୍ଧାନରେ ବାରମ୍ବାର ଗାଁ ନିକଟରେ ଘୁରି ବୁଲୁଥିଲା । ଏବେ ଧରାପଡିଛି ଏହି ନରଖାଦକ । ବାଘଟିକୁ ନନ୍ଦନକାନନ ପଠାଯାଇଛି ।