ଆପୋଷ ବୁଝାମଣାରେ ରଦ୍ଧ ହୋଇପାରିବ ନାହିଁ ବଡ଼ ଅପରାଧିକ ମାମଲା । ୨୧ ବର୍ଷ ତଳର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

144

କନକ ବ୍ୟୁରୋ: ଆପୋଷ ବୁଝାମଣାରେ ହୋଇପାରିବ ନାହିଁ ମାମଲା ରଦ୍ଧ । ୨୧ ବର୍ଷ ତଳର ଏକ ପୁରୁଣା ମାମଲାର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୌଣସି ଏକ ବଡ଼ ଅପରାଧିକ ମାମଲାକୁ ଆପୋଷ ବୁଝାମଣା ଆଧାରରେ ରଦ୍ଧ କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରେ ନଟବର ବେହେରାଙ୍କ ବିରୋଧରେ ହୋଇଥିବା ଫୌଜଦାରୀ ମୋକଦ୍ଦମାକୁ ରଦ୍ଧ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି । ସମାଜ ଉପରେ ପ୍ରଭାବ ପକାଉଥିବା ଅପରାଧିକ ମାମଲାରେ ଆପୋଷ ବୁଝାବଣା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ମତ ରଖିଛନ୍ତି ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ୨୧ ବର୍ଷ ତଳର ଏହି ଅପରାଧିକ ମାମଲା ପୁଣି ଚାଲିବା ସହ ଶୁଣାଣି ଚାଲିବ । ଏହି ରାୟକୁ ଆଇନଜୀବୀ ସ୍ୱାଗତ କରିବା ସହ ଏହା ସମାଜକୁ ଏକ ବଡ଼ ବାର୍ତ୍ତା ଦେବ ବୋଲି କହିଛନ୍ତି । ସାଂଘାତିକ ଭୁଲ କରି ସାକ୍ଷୀ ଓ ଅଭିଯୋଗକାରୀଙ୍କୁ ପ୍ରଭାବିତ କରି ଆପୋଷ ବୁଝାମଣା ପାଇଁ ହେଉଥିବା ଉଦ୍ୟମ ଉପରେ ଏହା ରୋକ୍ ଲାଗି ପାରିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ ।