ସଂସଦରେ ହେବ ମହାନଦୀ ଆଲୋଚନା । ବିତର୍କ ପାଇଁ ସମ୍ମତି ଦେଲେ ବାଚସ୍ପତି । ସେପଟେ ଓଡିଶା ସମର୍ଥନରେ ବାହାରିଲା ତୃଣମୂଳ କଂଗ୍ରେସ ।

28

କନକ ବ୍ୟୁରୋ : ସଂସଦରେ ହେବ ମହାନଦୀ ପ୍ରସଙ୍ଗରେ ଆଲୋଚନା । ଉଭୟ ଲୋକସଭା ଓ ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ସବୁଜ ସଂକେତ ମିଳିଛି । ବିଜେଡି ସାଂସଦଙ୍କ ଦାବିକୁ ଗୁରୁତ୍ୱ ଦେଇ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ ଉପବାଚସ୍ପତି ଭେଙ୍କୟା ନାଇଡୁ । ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ପୁଣି ଥରେ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ ବିଜେଡି ସାଂସଦ । ହେଲେ ଏହାକୁ ପ୍ରଥମେ ବାଚସ୍ପତି ଅଗ୍ରାହ୍ୟ କରିଥିଲେ ।

ଯାହାକୁ ନେଇ ଗୃହରେ ହୋହଲ୍ଲା କରିଥିଲେ ସାଂସଦ । ପରେ ଲୋକସଭାରେ ମୁଲତବୀ ପ୍ରସ୍ତାବ ନହେଲେ ମଧ୍ୟ ଅନ୍ୟ ଫୋରମରେ ଆଲୋଚନା ପାଇଁ ଦାବି କରିଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଧ୍ୟାନ ଆକର୍ଷଣକାରୀ ଏବଂ ସ୍ୱଳ୍ପ ଅବଧୀ ଆଲୋଚନା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ରଖିଥିଲେ ଭର୍ତ୍ତୃହରି ମହତାବ । ସେହିଭଳି ରାଜ୍ୟସଭାରେ ବି ମହାନଦୀ ପ୍ରସଙ୍ଗରେ ଆଲୋଚନା କରି ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ ବିଜେଡି ସାଂସଦ । ସେପଟେ ମହାନଦୀ ପ୍ରସଙ୍ଗରେ ବିଜେଡି ସାଂସଦଙ୍କୁ ସମର୍ଥନ କରିଛି ତୃଣମୂଳ କଂଗ୍ରେସ ।

ସେପଟେ ଆଜିର ସଂସଦ କାର୍ଯ୍ୟକ୍ରମ ଆରମ୍ଭ ଆଗରୁ ଧାରଣାରେ ବସିଥିଲେ ବିଜେଡି ସାଂସଦ । ମହାନଦୀ ଜଳ ବିବାଦର ସମାଧାନ ଲାଗି ଧାରଣା ଦେଇଥିଲେ ସାଂସଦମାନେ । ଅନ୍ତଃରାଜ୍ୟ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବିରେ ସଂସଦ ପରିସର ଗାନ୍ଧିମୂର୍ତି ତଳେ ଧାରଣାରେ ବସିଥିଲେ ବିଜେଡି ସାଂସଦ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସାଂସଦ ।