ଆଜି ପୁଣି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଆଲୋଚନା : ଗୃହରେ ବିବୃତି ରଖିପାରନ୍ତି ମୁଖ୍ୟମନ୍ତ୍ରୀ

37

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ମହାବିତର୍କ । ଗତକାଲି ଦୀର୍ଘ ୫ ଘଂଟାର ବିତର୍କରେ କୌଣସି ନିଷ୍କର୍ସ ନ ବାହାରିବାରୁ ଆଜି ପୁଣି ଏହି ପ୍ରସଙ୍ଗରେ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିପାରନ୍ତି ।

ଗତକାଲି ମହାନଦୀ ପ୍ରସଙ୍ଗରେ ୫ ଘଂଟାର ବିତର୍କ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେବଳ ୫ ମିନିଟ୍ ଗୃହରେ ଉପସ୍ଥିତ ରହିଥିଲେ । ଏହାକୁ ବିରୋଧୀ ଦଳ ନେତା ସମାଲୋଚନା କରିଥିଲେ । ତେବେ ଆଜି ଏହି ପ୍ରସଙ୍ଗରେ କଣ ଆଲୋଚନା ହେବ ତା ଉପରେ ସମସ୍ତଙ୍କ ନଜର ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ବିବୃତି ରଖିଥିଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ ଗତକାଲି ମୋସନ ଆଣିଥିଲେ । ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାର ମନମୁଖୀ କାର୍ଯ୍ୟ ବିରୋଧରେ ଲଢିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହାର ସରକାରୀ ଦଳ ମୁଖ୍ୟ ସଚେତକଙ୍କ ବ୍ୟକ୍ତିଗତ ଆହ୍ୱାନ । ଏହି ଆହ୍ୱାନ ମୁଖ୍ୟମନ୍ତ୍ରୀ ଦେବାର ଥିଲା ବୋଲି କହିଥିଲେ ନରସିଂହ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ନରସିଂହ ପ୍ରଶ୍ନ କରିଥିଲେ ।