ଆଜି ମହାଳୟା ଅମାବାସ୍ୟା । ପିତୃପୁରୁଷଙ୍କୁ ପଣ୍ଡିଦାନର ପର୍ବ । ପୁରୀ ବାଇଶିପାହାଚରେ ପିଣ୍ଡଦାନ ଲାଗି ଲୋକଙ୍କ ଭିଡ

308

କନକ ବ୍ୟୁରୋ: ଆଜି ମହାଳୟା ଅମାବାସ୍ୟା । ପିତୃପୁରୁଷଙ୍କୁ ପଣ୍ଡିଦାନର ପର୍ବ । ଏଥିପାଇଁ ପୁରୀ ବଡଦାଣ୍ଡରେ ଭିଡ ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ, ଋଷି ତର୍ପଣ ଆଦି କରୁଛନ୍ତି। ଲୋକେ ବାଇଶିପାହାଚରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କହାଯାଏ। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃ ପକ୍ଷ। ଚତୁର୍ଦଶୀ ପର୍ଯ୍ୟନ୍ତ ତର୍ପଣ କଲା ପରେ ଅମାବାସ୍ୟା ଦିନ ପିଣ୍ତ ଦାନ କରାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡେ଼ ତାହା ମହାଳୟା ଅମାବାସ୍ୟା।

ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧର ବିଭିନ୍ନ ନାମ: ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ, ପାର୍ବଣ ଶ୍ରାଦ୍ଧ, ମଉଳା ଶ୍ରାଦ୍ଧ। ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ତାହା ଦ୍ବାରା ପୁଣ୍ୟ ଲାଭ ଏବ˚ ବ˚ଶର ଉତ୍ତର ପିଢିର ସମସ୍ତ ପ୍ରକାର ଉନ୍ନତି ହେଉଥିବା ହିନ୍ଦୁ ବିଶ୍ବାସ। ପୁରାଣ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁ ପରେ, ତାଙ୍କ ଦାତାପଣିଆର ପୁରସ୍କାର ସ୍ବରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ କିଛି ଖାଦ୍ୟ ଦିଆଗଲାନାହିଁ। କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇ ନ ଥିଲେ ା ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ, ତାଙ୍କୁ ଚଉଦ ଦିନ ପାଇଁ ମର୍ତ୍ତମଣ୍ଡଳକୁ ପଠାଯାଇଥିଲା। ସେହି ଚଉଦ ଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବଙ୍କୁ ଅନ୍ନଦାନ ଦେଇଥିଲେ। ଫଳସ୍ବରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା। ମର୍ତ୍ତଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ପିତୃ ପକ୍ଷ ଥିଲା।

ସେହିପରି ଏକାମ୍ର କ୍ଷେତ୍ରରେ ବି ପିତୃପୁରୁଷଙ୍କୁ ପଣ୍ଡିଦାନ ପାଇଁ ଭିଡ ଜମିଛି । ଭୋରୁ ଭୋରୁ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । ଏଣୁ ବିନ୍ଦୁସାଗର କୂଳ ଓ ଶ୍ରୀରାମନଗର ସ୍ଥିତ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ତାଙ୍କ ପିତୃପୁରୁଷ ଓ ମାମୁଘରର ତିନି ପୁରୁଷକୁ ଏହି ପିଣ୍ଡ ଦାନ କରୁଛନ୍ତି । ଏଥିପାଇଁ ବିନ୍ଦୁସାଗର କୂଳରେ ଧାଡ଼ି ହୋଇ ବ୍ରାହ୍ମଣମାନେ ରହି ପୂଜା କାର‌୍ୟ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ସ୍ଥାନରେ ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଭୋର୍ରୁ ଆସି ଶ୍ରାଦ୍ଧ ଅର୍ପଣ କରିଥିଲେ। ବିନ୍ଦୁସାଗର ଦକ୍ଷିଣ ପୂର୍ବ ଘାଟଠାରୁ ଉତ୍ତରେଶ୍ୱର ଘାଟ ପର‌୍ୟ୍ୟନ୍ତ ବହୁ ପୁରୁଷ ଓ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।