ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ : ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

894

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଓଡିଶାରେ ଲଗାଣ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘୁର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ବର୍ଷାର ପରିମାଣ ବଢିବ । ଆଜି ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ପାଇଁ ଉପକୂଳ ଓ ଦକ୍ଷିଣ ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅତିପ୍ରବଳ ବର୍ଷା ପ୍ରଭାବରେ ଉକ୍ତ ଜିଲ୍ଲାଗୁଡ଼ିକରେ ପାହାଡ଼ ଧସିବା ସହ ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବ । ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୪.୯ ମିମି ବର୍ଷା ହେବା କଥା । ମାତ୍ର ଚଳିତ ମୌସୁମୀ ଋତୁରେ ଏବେ ସୁଦ୍ଧା ୧୦୧୧.୧ ମିମି ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ନିଅଣ୍ଟିଆ ରହିଥିବା ବେ‌ଳେ ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ ଓ କୋରାପୁଟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ।