ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ତାରିଖରେ ୧୦୨ ଲୋକସଭା ଆସନରେ ହେବାକୁ ଯାଉଛି ନିର୍ବାଚନ । ଜାଣନ୍ତୁ କେଉଁ ରାଜ୍ୟର କେଉଁ ଆସନ ପାଇଁ ହେବ ଭୋଟ ଗ୍ରହଣ

279

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି । ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରେ ଭୋଟ ଗ୍ରହଣ ହେବ । ଏହାକୁ ନେଇ ଏବେ ରାଜନୀତି ବେଶ୍ ସରଗରମ ରହିଛି । ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ନେଇ ପୁରା ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି ।

ଚଳିତ ଥର ଲୋକସଭା ନିର୍ବାଚନ ୭ ଟି ପର୍ଯ୍ୟାୟରେ ହେବାକୁ ଯାଉଚି । ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ ତାରିଖ, ତୃତୀୟ ପର୍ଯ୍ୟାୟ ମେ’୭ ତାରିଖ, ଚତୁର୍ଥ ପର୍ଯ୍ୟାୟ ମେ’୧୩ ତାରିଖ, ପଞ୍ଚମ ପର୍ଯ୍ୟାୟ ମେ’୨୦ ତାରିଖ, ଷଷ୍ଠ ପର୍ଯ୍ୟାୟ ମେ’ ୨୫ ତାରିଖ ଓ ଶେଷ ପର୍ଯ୍ୟାୟ ଜୁନ ପହିଲାରେ ଭୋଟ ଗ୍ରହଣ ହେବ ।

ପ୍ରଥମ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦୀପ ସମୁହ, ଲକ୍ଷ୍ୟଦୀପ, ଜମ୍ମୁ-କାଶ୍ମୀର, ଛତିଶଗଡ, ମିଜୋରମ, ନାଗାଲ୍ୟାଣ୍ଡ, ପୁଡୁଚେରୀ ଓ ସିକ୍କିମରେ ଭୋଟ ଗ୍ରହଣ ହେବ । ଉପରଲିଖିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଯଦି ରାଜ୍ୟ କଥା ବିଚାରକୁ ନିଆଯିବ ତେବେ ପ୍ରଥମ ପର୍ଯ୍ୟାୟରେ ବିହାରର ୪ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ରାଜସ୍ଥାନର ୧୧ଟି ଆସନ, ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ପଶ୍ଚିମବଙ୍ଗର ୩ ଆସନ, ତ୍ରିପୁରାର ଗୋଟିଏ ଆସନ ଓ ଉତ୍ତର ପ୍ରଦେଶର ୮ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଅନ୍ୟପଟେ ତାମିଲନାଡୁର ୩୯ଟି ଆସନ ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

ପ୍ରଥମ ପର୍ଯ୍ୟାରେ ଏହିସବୁ ବରିଷ୍ଠ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଯାହା ମଧ୍ୟରେ ରହିଛନ୍ତି ଲୋକ ଜନଶକ୍ତି ପାର୍ଟିର ଚିରାଗ ପାସୱାନ, କମଲନାଥଙ୍କ ପୁଅ ନକୁଲ ନାଥ, ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ, ତେଲେଙ୍ଗାନାର ପୂର୍ବ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝୀ, ଜିତିନ ପ୍ରସାଦ ନିସିଥ୍ ପରମାଣିକ ।