କୂଳ ଖାଉଛି ଚିତ୍ରୋତ୍ପଳା । ଜନବସତି ଆଡକୁ ମାଡି ଆସୁଛି ନଈ, ବନ୍ଧରୁ ଖସୁଛି ବଡ ବଡ ଅତଡା । ଆଶା ଆଶଙ୍କାରେ ସାଲେପୁରବାସୀ ।

128

କନକ ବ୍ୟୁରୋ : ସାଲେପୁର ସହର ନିକଟରେ କୂଳ ଖାଉଛି ଚିତ୍ରୋତ୍ପଳା । ନଈ ଜନବସତି ଆଡକୁ ମାଡି ଆସୁଥିବା ବେଳେ ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ନଈକୂଳିଆ ଲୋକେ । ବନ୍ଧରୁ ଖସୁଛି ବଡ ବଡ ମାଟି ଅତଡା ଖସିବାରୁ ଚିନ୍ତା ବଢିଯାଇଛି । ତେବେ ବର୍ଷାରୁ ଆଗରୁ ମରାମତି ନହେଲେ ବନ୍ଧ ଭାଙ୍ଗିବା ନେଇ ଆଶଙ୍କା କରାଯାଉଛି ।

କୂଳ ଖାଉଛି ଚିତ୍ରୋତ୍ପଳା । ନଈ ମୁହଁରେ ଗାଁ । ଜନବସତି ଆଡକୁ ମାଡି ଆସୁଛି ଚିତ୍ରୋତ୍ପଳା । କୂଳରେ ମାଡ କରୁଛି ଲହଡି, ବନ୍ଧରୁ ଖସି ପଡୁଛି ବଡ ବଡ ଅତଡା । ବନ୍ଧରେ ଥିବା ଗଛ ଗୁଡିକୁ ମଧ୍ୟ ନଦୀ ଗର୍ଭକୁ ନେଇଗଲାଣି । ଆଉ କେତେକ ଗଛ ମୂଳରୁ ମାଟି ଖୋଳି ନେଉଛି ନଦୀ । ଏ ଘଟଣା ହେଉଛି କଟକ ଜିଲ୍ଲା ସାଲେପୁର ବଟେଶ୍ୱର ଗାଁକୁ ଲାଗିଥିବା ଚିତ୍ରୋତ୍ପଳା କୂଳର । ବର୍ତମାନ ନଦୀ ଏଭଳି ଭାବେ ଜନବସତି ଆଡକୁ ମାଡି ଆସୁଥିବା ବେଳେ ବର୍ଷା ଦିନ କଥା ଭାବି ନଈଳୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।

ନଦୀ, କୂଳ ଖାଇ ଗାଁ ମୁହାଁ ହେଉଥିବା ସମସ୍ୟା ଏବେର ନୁହେଁ । ବର୍ଷ ବର୍ଷ ଧରି ଚିତ୍ରୋତ୍ପଳା କୂଳ ଖାଉଥିବା ବେଳେ ଏଥିପ୍ରତି ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ବିଭାଗୀୟ ଅଧିକାରୀ ଅବଗତ ଥିବା ବେଳେ ଖୁବ୍ଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ବର୍ଷା ଆଗରୁ ବନ୍ଧ ମରାମତି କାମ କରାନଗଲେ ଯଦି ବର୍ଷା ଦିନେ ବନ୍ଧ ଭାଙ୍ଗେ କେବଳ ବଟେଶ୍ୱର ଗାଁ ନୁହେଁ ପୁରା ସାଲେପୁର ସହର ଚିତ୍ରୋତ୍ପଳା ନଦୀରେ ଡୁବିଯିବାର ଆଶଙ୍କା ରହିଛି ।