ଲାଲୁ ଯାଦବଙ୍କ ଓଡିଶା କନେକ୍ସନ୍ ! ପୁରୀରେ ପୁରୁଣା କାଗଜ ଖୋଲିଲା ସିବିଆଇ

39

କନକ ବ୍ୟୁରୋ : ୯ ଶହ କୋଟିର ଚାରା ଘୋଟାଲା ପରେ ଟେଣ୍ଡର୍ ଅନିୟମିତତାରେ ଫଶିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ରେଳମନ୍ତ୍ରୀ ଥିବା ସମୟରେ ନିଜ କ୍ଷମତାର ଅପବ୍ୟବହାର କରି ଲାଲୁ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ କାମ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଆଜି ପୁରୀ ସମେତ ୧୨ ଟି ସ୍ଥାନରେ ରେଡ୍ କରିଛି ସିବିଆଇ । ଲାଲୁଙ୍କ ସମେତ ତାଙ୍କ ପତ୍ନୀ ରାବଡୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ନାଁରେ ମାମଲା ରୁଜୁ କରିଛି ତଦନ୍ତକାରୀ ସଂସ୍ଥା । ସିବିଆଇର ରେଡ୍ ଭିତରେ ପଦାକୁ ଆସିଛି ଲାଲୁଙ୍କ ପୁରୀ କନେକ୍ସନ୍ ।

ସକାଳ ପ୍ରାୟ ସାଢେ ୭ ଟାରେ ପୁରୀ ଚାଣକ୍ୟ ବିଏନଆର୍ ହୋଟେଲରେ ରେଡ୍ କରିଥିଲା ସିବିଆଇ । ରେଳବାଇର ସମ୍ପତି, ଚାଣକ୍ୟ ବିଏନଆରର ସମସ୍ତ ଫାଇଲ୍ ଖୋଲିଥିଲେ ସିବିଆଇ ଟିମ୍ । ବର୍ଷ ୨୦୦୬ରୁ ଗୋଟି ଗୋଟି କରି ରେଜିଷ୍ଟାରର ଘଂଟା ଘଂଟା ଧରି ଚାଲିଲା ଯାଂଚ୍ । ସାମ୍ନାକୁ ଆସିଥିଲା ୯ ଶହ କୋଟି ଟଙ୍କାର ଚାରା ଦୁର୍ନୀତିରେ ଫଶିଥିବା ଲାଲୁଙ୍କ ଟେଣ୍ଡର ଫିକ୍ସିଂର କାହାଣୀ । କୁହାଯାଉଛି, ଲାଲୁ ଯାଦବ ଅନିୟମିତା କରି ଫାଇଦା ନେଇଥିଲେ ଆଉ ଫାଇଦା ଦେଇଥିଲେ ।

ଏବେ ନଜର ପକାନ୍ତୁ କେମିତି ହୋଇଥିଲା ଅନିୟମିତତା ? ଲାଲୁଙ୍କ ଏଥିରେ ଭୂମିକା କଣ? କାହାକୁ ମିଳିଥିଲା ଫାଇଦା? ୨୦୦୬ରେ ଲାଲୁ ରେଳମନ୍ତ୍ରୀ ଥିବା ବେଳେ ହୋଇଥିଲା ପୁରା ଘୋଟାଲା । ରେଳବାଇର ସମ୍ପତି ବିଏନଆର୍ ହୋଟେଲର ମରାମତି ପାଇଁ ଡକାଯାଇଥିଲା ଟେଣ୍ଡର୍ । ଆଉ ରେଳମନ୍ତ୍ରୀ ହେବାର ଫାଇଦା ଉଠାଇଥିଲେ ଲାଲୁ ପ୍ରସାଦ ଯାଦବ । ଅହେତୁକ ଅନୁକମ୍ପା ଦେଖାଇ ସୁଜାତା ହୋଟେଲ ପ୍ରାଇଭେଟ୍ ଲିମିଟେଡକୁ ଦେଇଥିଲେ ଠିକା କାମ । କୁହାଯାଉଛି ଏହି ଡିଲ୍ ବଦଳରେ ଲାଲୁଙ୍କୁ ସଂପୃକ୍ତ କମ୍ପାନୀ ପାଟନାରେ ବହୁମୂଲ୍ୟ ଜମି ଦେଇଥିଲା । ଯେଉଁ ଜମି ଉପରେ ପରେ ଏକ ବଡ଼ ସପିଂ ମଲ୍ ତିଆରି କରାଯାଇଥିଲା ।

ସିବିଆଇ ଆଜି ପୁରୀ, ପାଟନା, ଦିଲ୍ଲୀ, ରାଂଚି, ଗୁଡଗାଁଓ ସମେତ ୧୨ଟି ସ୍ଥାନରେ ଚଢାଉ କରିଛି । ଲାଲୁ, ତାଙ୍କ ପତ୍ନୀ ରାବଡୀ ଦେବୀ ଓ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବାସଭବନ ସମେତ ଆଇଆରସିଟିସିର ପୂର୍ବତନ ଏମ୍ଡି ପି.କେ ଗୋୟଲ ଓ ସୁଜାତା ହୋଟେଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ବିନୟ କୋଚର ଓ ବିଜୟ କୋଚରଙ୍କ ବାସଭବନରେ ମଧ୍ୟ ଚଢାଉ କରିଛି । ଲାଲୁଙ୍କ ବିରୋଧରେ ସିବିଆଇ ରେଡ୍ ପରେ ସରଗରମ ହୋଇଉଠିଛି ବିହାର ରାଜନୀତି ।

ପ୍ରଥମେ ୯ଶହ କୋଟି ଟଙ୍କାର ଚାରା ଦୁର୍ନୀତି, ପରେ ବେଆଇନ ସମ୍ପତି ଠୁଳ ମାମଲାରେ ସିବିଆଇ ରେଡ୍ । ଆଉ ଏବେ ଠିକା ଅନିୟମିତତା ମାମଲା ଚିନ୍ତା ବଢ଼ାଇଦେଇଛି ଲାଲୁଙ୍କର ।