କେନ୍ଦୁଝର ତେଲକୋଇ ଛାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଋଣଭାର ସହିନପାରି ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ ।

93

କନକ ବ୍ୟୁରୋ: ଋଣ ଭାର ନେଲା ଜୀବନ ।ୠଣ ଭାର ସହିନପାରି ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ । କେନ୍ଦୁଝର ତେଲକୋଇ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ୧୨ ଚକିଆ ଟ୍ରକ୍ କିଣି ଭଡ଼ା କରି ପରିବାର ପ୍ରତିପୋଷଣ କରୁଥିଲେ । ସବୁ କିଛି ଠିକ୍ ଠାକ୍ ଥିଲା । କିନ୍ତୁ କିଛି ମାସ ହେଲେ ମାଇନ୍ସ ଚାଲୁନଥିବାରୁ ଟ୍ରକ୍ ମଧ୍ୟ ଚାଲୁନଥିଲା । ଫଳରେ ଟ୍ରକରୁ କୌଣସି ରୋଜଗାର ହେଉନଥିଲା । ଯାହାକୁ ନେଇ ଚାପରେ ପଡ଼ିଥିଲେ ମୁକୁନ୍ଦ ।

ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ କିଣିଥିଲେ ସେ ସଂସ୍ଥା ବାରମ୍ବାର କିସ୍ତି ପାଇଁ ଘରକୁ ଆସି ତାଗିଦ୍ କରୁଥିଲା । ଏପରିକି ତାଙ୍କର ଜମିବାଡ଼ି ବିକ୍ରି କରି ଋଣ ସୁଝୁଥିଲେ ମୁକୁନ୍ଦ । ହେଲେ କିସ୍ତି ଟଙ୍କା ଦେବାର ବାରମ୍ବାର ବିଫଳ ହେଉଥିଲେ । ଯାହାକୁ ନେଇ ମାନସିକ ଭାରସାମ୍ୟ ହରାଇ ଗତକାଲି ନିଜ ଘର ଆଗରେ ବିଦ୍ୟୁତ୍ ତାରରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ମୁକୁନ୍ଦ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ସ୍ଥାନୀୟ ଅଞ୍ଚଳରେ ମୁକୁନ୍ଦଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।