କଜାକିସ୍ତାନ ସରକାରଙ୍କ ପାଇଁ ମହଙ୍ଗା ପଡିଲା ତୈଳଦର ବୃଦ୍ଧି । ଦେଶରେ ସରକାର ତୈଳ ଦର ବୃଦ୍ଧି କରିବା ଫଳରେ ସାରା ଦେଶବାସୀ ଏହାକୁ ବିରୋଧ କରିଛନ୍ତି । ବିରୋଧରେ ଏତେ ଲୋକ ଯୋଗ ଦେଇଥିଲେ ଯେ, ପୁଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବି ପ୍ରୟୋଗ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ କଜାକିସ୍ତାନରେ ଏବେ ଜରୁରୀକାଳିନ ସ୍ଥିତି ଘୋଷଣା କରାଯାଇଛି । ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ପୁଲିସ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛି । ଅନ୍ୟପଟେ କଜାକିସ୍ତାନ ରାଷ୍ଟ୍ରପତି ଦେଶର ଆର୍ଥିକ ରାଜଧାନୀ ଅଲ୍ମାଟି ଓ ମାଙ୍ଗିଷ୍ଟକ ଅଞ୍ଚଳରେ ବ୍ୟାପକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ରାତି ୧୧ ରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ରିପୋର୍ଟ ମୁତାବକ ୧୦ ବର୍ଷ ପରେ କଜାକିସ୍ତାନର ଲୋକମାନେ ଏକ ବଡ ବିରୋଧ ପ୍ରଦର୍ଶନ କରିବାକୁ ଏକତ୍ରିତ ହୋଇଛନ୍ତି । ଏହି କ୍ରମରେ ସେନା ଓ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିକ୍ଷୋଭକାରୀମାନେ ସେନା ଓ ପୁଲିସର ଗାଡି ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଉଥିବାର ଭିଡିଓ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । ମିଳିଥିବା ଖବର ମୁତାବକ କଜାକିସ୍ତାନର ସରକାର ଏହି ପୂରା ଘଟଣା କ୍ରମକୁ ନେଇ ଇସ୍ତଫା ଦେଇଛନ୍ତି । ଏହାପରେ ରାଷ୍ଟ୍ରପତି ଏବେ ନିଜର କ୍ଷମତା ପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବାରୁ ବିରତ ରଖିବାକୁ ଚେଷ୍ଟା କରୁଛନ୍ତି ।