ମୋଦୀଙ୍କ ରାସ୍ତା ଅବରୋଧ କରିଥିଲେ ଆମ କାର୍ଯ୍ୟକର୍ତ୍ତା, ପ୍ରଧାନମନ୍ତ୍ରୀଙ୍କ ରୁଟ୍ ପ୍ଲାନ ବାବଦରେ ପଞ୍ଜାବ ପୋଲିସ ଠାରୁ ମିଳିଥିଲା ସୂଚନା । ମୁହଁ ଖୋଲିଲେ ଚାଷୀ ନେତା ।

551

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଥିବା ବେଳେ ଭାରତୀୟ କିଷାନ ସଂଘର ନେତା ସୁରଜିତ୍ ସିଂ ଫୁଲଙ୍କର ବଡ ବୟାନ ସାମ୍ନାକୁ ଆସିଛି । ସୁରଜିତ୍ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ରାସ୍ତା ଅବରୋଧ ଭାରତୀୟ କିଷାନ ସଂଘର କାର୍ଯ୍ୟକର୍ତ୍ତା କରିଥିଲେ । ରାସ୍ତା ଅବରୋଧ କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଆଗକୁ ବଢି ପାରିନଥିଲା । ୧୫ରୁ ୨୦ ମିନିଟ୍ ଅପେକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ସଭାକୁ ନଯାଇ ବିମାନବନ୍ଦରକୁ ଫେରି ଆସିଥିଲେ ।  ଆଉ ସବୁଠୁ ବଡ କଥା ହେଲା ପ୍ରଧାନମନ୍ତ୍ରୀ ସଡକପଥରେ ଆସୁଥିବା ନେଇ ପୋଲିସ ପାଖରୁ ସୂଚନା ମିଳିଥିବା କହିଛନ୍ତି ସୁରଜିତ୍ ।

ଏକ ଫେସବୁକ୍ ଭିଡ଼ିଓ ସେୟାର କରି ସୁରଜିତ୍ କହିଛନ୍ତି, ମୋଦୀଙ୍କ ରାସ୍ତା ଅବରୋଧ କରିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ । ଇଏ ସେହି ବିଜେପି ଯିଏ ଚାଷୀ ଆନ୍ଦୋଳନ ବେଳେ ରାସ୍ତାରେ ଗାତ ଖୋଳି ଅଟକାଇବାକୁ ଚେଷ୍ଟା କରିଥିଲେ, ମଇଳା ପାଣି ପକାଇଥିଲେ । ଆଗକୁ ମଧ୍ୟ ଏଭଳି ଲଢେଇ ଜାରି ରହିବ ।

ତେବେ ଏସବୁ ଭିତରେ ଏହି ଘଟଣା ପରେ ଆକ୍ସନକୁ ଆସିଛନ୍ତି ପଞ୍ଜାବର ଚନ୍ନି ସରକାର । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର । ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ସିଂ ଗିଲ୍ ଓ ପ୍ରମୁଖ ସଚିବ ଅନୁରାଗ ବର୍ମା ରହିଛନ୍ତି । ୩ ଦିନ ଭିତରେ କମିଟି ତାହାର ରିପୋର୍ଟ ଦେବ ।

ସେହିଭଳି ପ୍ରଧାନମନ୍ତ୍ରୀଙ୍କ ରୁଟକୁ କିଏ ଗ୍ରୀନ୍ ସିଗନାଲ ଦେଇଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ରୁଟ ଏସପିଜି, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ସମ୍ପୃକ୍ତ ରାଜ୍ୟର ସ୍ଥାନୀୟ ପୋଲିସର ଆଲୋଚନା ପରେ ସ୍ଥିର ହୋଇଥାଏ । କିନ୍ତୁ ଶେଷ ନିଷ୍ପତ୍ତି ଏସପିଜି ନେଇଥାଏ । ରୁଟର ସୁରକ୍ଷାର ଦାୟିତ୍ୱ ସ୍ଥାନୀୟ ପୋଲିସ ଉପରେ ନ୍ୟସ୍ତ ଥାଏ । ଅଥାର୍ତ ରୁଟରେ କୌଣସି ବାଧା କିମ୍ବା ଏହାକୁ ଫାଙ୍କା ନ କରିଲେ ଏହାର ଜବାବ ସ୍ଥାନୀୟ ପୋଲିସକୁ ଦେବାକୁ ପଡିଥାଏ ।  ଯେହେତୁ ଚାଷୀ ଉକ୍ତ ରୁଟର ରାସ୍ତା ଅବରୋଧ କରିଥିଲେ ତେଣୁ ଏ ବାବଦରେ ଗୁଇନ୍ଦା ବିଭାଗକୁ ଖବର ମିଳିବା କଥା ଏବଂ ପ୍ରୋଟୋକଲ ଅନୁଯାୟୀ ବିକଳ୍ପ ରୁଟରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଯିବା କଥା । କିନ୍ତୁ ପଞ୍ଜାବରେ ସେମିତି କିଛି ଦେଖିବାକୁ ମିଳିନଥିଲା ।

କଣ ଥିଲା ପୂରା ଘଟଣା?

ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।

ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।