ମନୋଜଙ୍କୁ ଟକ୍କର ଦେବେ କହ୍ନୈୟା କୁମାର । ଏଥର ନର୍ଥ-ଇଷ୍ଟ ଦିଲ୍ଲୀରେ ଲଢେଇ ହେବ ଜୋରଦାର । କାହାର ପଲ୍ଲା ରହିବ ଭାରି?

681

କନକ ବ୍ୟୁରୋ: ଏଥର ନର୍ଥ-ଇଷ୍ଟ ଦିଲ୍ଲୀରେ ହେବ ରୋଚକ ଲଢେଇ । ବିଜେପି ନେତା ମନୋଜ ତିୱାରୀଙ୍କୁ ଟକ୍କର ଦେବେ ଯୁବ ନେତା କହ୍ନୈୟା କୁମାର । କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀରେ ମୋଟ ୭ଟି ଲୋକସଭା ସିଟ୍ ରହିଛି । ସେଥିମଧ୍ୟରୁ ନର୍ଥ-ଇଷ୍ଟ ଦିଲ୍ଲୀରେ ଏଥର ଲୋକପ୍ରିୟ ଭୋଜପୁରୀ ଗାୟକ ତଥା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ମନୋଜ ତିୱାରୀଙ୍କ ସହ କଂଗ୍ରେସର ଯୁବ ଚେହେରା କହ୍ନୈୟା କୁମାରଙ୍କ ଭିତରେ ଲଢେଇ ହେବ ।

କହ୍ନୈୟା କୁମାର ଏଥର କଂଗ୍ରେସ ଟିକେଟରୁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ହେଲେ ଦୀର୍ଘ ଦିନ ଧରି ସେ ବାମ ଦଳର ଜଣେ ଲୋକପ୍ରିୟ ଚେହେରା ଥିଲେ । ଏମିତି କି ଗତ ନିର୍ବାଚନରେ ସେ ବିଜେପିର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂହଙ୍କ ବିପକ୍ଷରେ ବେଗୁସରାଇରୁ ପ୍ରାର୍ଥୀ ହେଇଥିଲେ । ତେବେ ନିର୍ବାଚନର ଫଳାଫଳ କିନ୍ତୁ ତାଙ୍କ ପକ୍ଷରେ ଯାଇନଥିଲା । ହେଲେ ଏଥର କିନ୍ତୁ ବେଗୁସରାଇ ବଦଳରେ ନର୍ଥ ଇଷ୍ଟ ଦିଲ୍ଲୀ ଆସନରୁ କଂଗ୍ରେସ ଟିକେଟରେ ଲଢିବାକୁ ଯାଉଛନ୍ତି କହ୍ନୈୟା କୁମାର ।

ପୂର୍ବାଞ୍ଚଳ କାର୍ଡ

ଦିଲ୍ଲୀର ୭ଟି ଲୋକସଭା ଆସନରୁ ୬ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । ହେଲେ ନର୍ଥ ଇଷ୍ଟ ଦିଲ୍ଲୀରେ କିନ୍ତୁ ଦଳ ମନୋଜ ତିୱାରୀଙ୍କ ଉପରେ ପୁଣିଥରେ ଭରସା କରିଛି । ଏକମାତ୍ର ସାଂସଦ ଭାବେ ସେ ଦିଲ୍ଲୀରେ ଟିକେଟ୍ ବଞ୍ଚେଇବାରେ ସଫଳ ହେଇଛନ୍ତି । ତେବେ ମନୋଜ ତିୱାରୀ ନିଜ ଟିକେଟ୍ ବଞ୍ଚାଇ ରଖିବାର ମୂଳ କାରଣ ପୂବାଞ୍ଚଳ କାର୍ଡ ବୋଲି ଅନୁମାନ କରାଯାଉଛି । ତେଣୁ ଏଥର ବିଜେପିକୁ ସେହି ସମାନ ଢଙ୍ଗରେ ମାତ୍ ପାଇଁ କଂଗ୍ରେସ ମଧ୍ୟ ଜଣେ ପୂର୍ବାଞ୍ଚଳ ନେତାଙ୍କୁ ଟିକେଟ୍ ଦେଇଛି । କାହିଁକି ନା, କହ୍ନୈୟା କୁମାରଙ୍କ ନିଜ ପୈତୃକ ଘର ବିହାର ଜିଲ୍ଲାରେ ।

ଅନ୍ୟପଟେ କହ୍ନୈୟା କୁମାର ଅନେକ ସମୟରେ ଗରିବ, ଶ୍ରମିକ, ଦଳିତ ଏବଂ ଶୋଷିତ ଆଉ ବଞ୍ଚିତଙ୍କ କଥା କହିଥାନ୍ତି । ଏହି ଆଧାରରେ ନର୍ଥ ଇଷ୍ଟ କ୍ଷେତ୍ରରେ ଏକ ଭୋଟ୍ ବ୍ୟାଙ୍କ ରହିଛି । ୟୁପି, ବିହାର, ହରିୟାଣା ଭଳି ରାଜ୍ୟର ଅନେକ ଲୋକ ଏହି ଅଞ୍ଚଳରେ ବସବାସ କରିଥାନ୍ତି । ତେଣୁ ଏହି ଭୋଟକୁ ହାତେଇବା ପାଇଁ କଂଗ୍ରେସ ଏଥର ବଡ ଚାଲ୍ ଖେଳିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଦଶ ବର୍ଷ ଧରି କ୍ଷମତାରେ ଥିବା ବିଜେପି ବିରୋଧରେ ଥିବା ସରକାର ବିରୋଧୀ ହାୱାର ଫାଇଦା ଉଠାଇବାକୁ ଚାହୁଁଛି କଂଗ୍ରେସ । ଅନ୍ୟପଟେ ଏଥର କଂଗ୍ରେସ ପାଖରେ ଆମ୍ ଆଦମୀ ପାର୍ଟିର ମଧ୍ୟ ସମର୍ଥନ ରହିଛି । ତେଣୁ ଯେନତେନ ପ୍ରକାରେ ଏହି ସିଟକୁ ଅକ୍ତିଆର୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ସେପଟେ କିନ୍ତୁ ଦଳିତ ଏବଂ ପଛୁଆ ବର୍ଗଙ୍କ ସମର୍ଥନ ହାତେଇ ମନୋଜ ତିଆରି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ।

ନର୍ଥ ଇଷ୍ଟ ଲୋକସଭା କ୍ଷେତ୍ରର ସମୁଦାୟ ଜନସଂଖ୍ୟାରୁ ପ୍ରାୟତଃ ୨୧ ପ୍ରତିଶତ ହେଉଛନ୍ତି ମୁସଲିମ୍ ସମ୍ପ୍ରଦାୟର । ମୁସ୍ତଫାବାଦ୍ ସହ ସୀଲମପୁର, କରାବଲନଗର ଭଳି ଅଞ୍ଚଳରେ ମୁସଲିମ୍ ଲୋକଙ୍କ ସଂଖ୍ୟା ବେଶି । ତେଣୁ ଏହି ଭୋଟ୍ ବ୍ୟାଙ୍କକୁ ନିଜ ପକ୍ଷରେ ଚେଷ୍ଟା କରୁଛି କଂଗ୍ରେସ । ଅନ୍ୟପଟେ ପୂର୍ବାଞ୍ଚଳ ଭୋଟର ମଧ୍ୟ ଏହି ସିଟରେ ବହୁତ ଗୁରୁତ୍ୱ ରଖିଥାନ୍ତି । ତେଣୁ ଏହି ଦୁଇଟି ସମୁଦାୟକୁ ନିଜ ସମର୍ଥନରେ ରଖି ଉଭୟ ମନୋଜ ତିୱାରୀ ଏବଂ କହ୍ନୈୟା କୁମାର, ୨୪ ନିର୍ବାଚନ ପାର୍ ହେବାକୁ ଅଙ୍କ କଷୁଛନ୍ତି ।