ପୂର୍ବ ପାକିସ୍ତାନ କ୍ରିକେଟର ମୁହଁରେ ଜୟ ଶ୍ରୀରାମ ନାରା । କହିଲେ, ସୁଯୋଗ ମିଳିଲେ ନିଶ୍ଚୟ ଯିବି ରାମ ମନ୍ଦିର ।

301

କନକ ବ୍ୟୁରୋ : ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ବେଶ ଧୂମଧାମରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିବା ବେଳେ ପୂରା ଦେଶ ରାମମୟ ହୋଇ ଉଠିଥିଲା । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ଝଲକ ଦେଖିବାକୁ ମିଳିଥିଲା । କ୍ରିକେଟ ଜଗତରେ ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସଚିନ ତେନ୍ଦୁଲକର ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ବେଳେ ଅନେକ ଭାରତୀୟ କ୍ରିକେଟର ମଧ୍ୟ ଏହି ଶୁଭ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । କେବଳ ଭାରତୀୟ କ୍ରିକେଟର ନୁହନ୍ତି ବରଂ ବିଦେଶୀ କ୍ରିକେଟରଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଛି ଜୟ ଶ୍ରୀରାମ ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଦାନିଶ କାନେରିଆ । ଏପରିକି ଏହି ଉତ୍ସବକୁ ବେଶ ଉତ୍ସାହର ସହ କାନେରିଆ ପାଳିଛନ୍ତି । ଏହାସହ ଦାନିଶ କହିଛନ୍ତି, ୫୦୦ ବର୍ଷ ପରେ ଅଯୋଧ୍ୟାକୁ ପ୍ରଭୁ ଶ୍ରୀରାମ ଫେରିଛନ୍ତି । ଏହା ଆମ ପାଇଁ ଐତିହାସିକ ମୁହୂର୍ତ୍ତ, ଏଥିପାଇଁ ମୁଁ ବହୁତ ଖୁସି । ଦୀର୍ଘବର୍ଷ ପ୍ରତିକ୍ଷାର ଶେଷ ହୋଇଛି, ପ୍ରତିଜ୍ଞା ପୂର୍ଣ୍ଣ ହୋଇଛି ଏବଂ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ଣ୍ଣ ହୋଇଥିବା କହିଛନ୍ତି ଦାନିସ । ପ୍ରଭୁ ଶ୍ରୀରାମ ଆମ ସଭିଙ୍କର ପ୍ରେରଣା ଏବଂ ତାଙ୍କ ଆଦର୍ଶରେ ଆମେ ପରିଚାଳିତ । ସୁଯୋଗ ମିଳିଲେ ନିଶ୍ଚୟ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବି ବୋଲି କହିଛନ୍ତି କାନେରିଆ । ପାକିସ୍ତାନ ପକ୍ଷରୁ ପୂର୍ବରୁ ଖେଳିଥିବା ଦାନିସ କାନେରିଆ ହେଉଛନ୍ତି ଜଣେ ହିନ୍ଦୁ ।

କେବଳ ଦାନିସ କାନେରିଆ ନୁହନ୍ତି ବରଂ ଦକ୍ଷିଣ ଆଫ୍ରିକାର କ୍ରିକେଟର କେଶବ ମହାରାଜ ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ଏତିକି ନୁହେଁ ଜୟ ଶ୍ରୀରାମ ନାରା ଦେବାକୁ ମଧ୍ୟ ଭୁଲି ନାହାନ୍ତି କେଶବ ମହାରାଜ । ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ହିନ୍ଦୁ ଧର୍ମର ହୋଇଥିବା ବେଳେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କର ପରମ ଭକ୍ତ । ଯେଉଁଥିପାଇଁ କେଶବ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବା ମାତ୍ରେ ରାମ ସିୟା ରାମ ଗୀତ ବାଜିଥାଏ । ଯାହାକୁ ନେଇ କେଶବ ଅନେକ ସମୟରେ କହିଛନ୍ତି, ଏହି ଗୀତ ବାଜିବା ଦ୍ୱାରା ମୋତେ ଭଲ ଲାଗିଥାଏ ଏବଂ ମୁଁ ନିଜକୁ ସହଜ ଅନୁଭବ କରିଥାଏ । କାରଣ ଭଗବାନ ହେଉଛନ୍ତି ମୋର ସବୁଠାରୁ ବଡ ଶକ୍ତି ।

ସେହିଭଳି ଅନେକ ସମୟରେ ଭାରତୀୟ ପର୍ବପର୍ବାଣୀରେ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଚର୍ଚ୍ଚା ସାଉଁଟିଥିବା ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଶ୍ରୀରାମଙ୍କର ଏକ ଫଟୋ ପୋଷ୍ଟ କରି ୱାର୍ଣ୍ଣର ଜୟ ଶ୍ରୀରାମ ବୋଲି ଉଲ୍ଲେଖ କରିଛନ୍ତି । ଆଉ ୱାର୍ଣ୍ଣରଙ୍କ ଏଭଳି ଶୁଭେଚ୍ଛା ପୋଷ୍ଟକୁ ବେଶ ପସନ୍ଦ କରିଛନ୍ତି ଭାରତୀୟ ।

 

View this post on Instagram

 

A post shared by David Warner (@davidwarner31)