ଦାନ ହୁଣ୍ଡିରୁ ବାହାରିଲା ପ୍ରେମପତ୍ର: କିଏ ସରକାରୀ ଚାକିରି ପାଇଁ ତ ପୁଣି କିଏ ପରୀକ୍ଷାରେ ପାସ ପାଇଁ ଲେଖିଛନ୍ତି ଚିଠି

913

କନକ ବ୍ୟୁରୋ: ଦାନହୁଣ୍ଡିରେ ପ୍ରେମ ପତ୍ର । କିଏ ସରକାରୀ ଚାକିରି ପାଇଁ ଗୁହାରୀ କରି ମା’ଙ୍କୁ ଚିଠି ଲେଖିଛି ତ ପୁଣି କିଏ ପରୀକ୍ଷାରେ ପାସ କରିବା ପାଇଁ ମା’ଙ୍କୁ ଗୁହାରି କରିଛି । ଗତକାଲି ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି । ସେହି ହୁଣ୍ଡିରୁ ଏଭଳି କିଛି ଚିଠି ମିଳିଛି । ଜଣେ ଯୁବତୀ ତାଙ୍କ ବାହାଘର କିଭଳି ଖୁସିରେ ହେବ ସେନେଇ ମା’ଙ୍କୁ ଗୁହାରୀ କରିଛନ୍ତି । ଯୌତୁକରେ ତାଙ୍କ ବାପା ଗାଡ଼ି ନଦେଲେ ଶାଶୁଘର ଲୋକେ ଯେମିତି ନିର୍ଯାତନା ନଦେବେ ସେ ନେଇ ମା’ଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଭକ୍ତ । ସେହିପରି ଶାଶୁଘର ଲୋକଙ୍କୁ ସେ କିଭଳି ଖୁସିରେ ରଖିପାରିବେ ସେନେଇ ତାଙ୍କୁ ସହାୟ ହେବାକୁ ସେ ମା’ଙ୍କୁ ନିବେଦନ କରିଛନ୍ତି ।

ଦାନ ହୁଣ୍ଡିରୁ ଏଭଳି କିଛି ଅଜବ ଚିଠି ବାହାରିଥିବା ବେଳେ ସବୁଠି ଚର୍ଚ୍ଚା ସୃଷ୍ଟି ହୋଇଛି । ମା’ଙ୍କ ପାଖରେ କିଏ ପିଲା ପାଇଁ ଗୁହାରୀ କରେ । ଦୁଃଖ ହରଣ ପାଇଁ ମାନସୀକ କରେ । ହେଲେ ଗତ କିଛି ବର୍ଷ ହେଲା ମା’ ସମଲେଇଙ୍କ ପାଖରେ ଶ୍ରଦ୍ଧାଳୁ କିଛି ଭିନ୍ନ ଢଙ୍ଗରେ ପତ୍ର ଲେଖି ଗୁହାରି କରୁଥିବାର ଚିତ୍ର ସାମ୍ନାକୁ ଆସୁଛି ।