୫ ଜିଲ୍ଲାରେ କିଏ ଗଢିବ ଜିଲ୍ଲା ପରିଷଦ ! ରୋଚକ ମୋଡରେ ରାଜନୀତି

39

କନକ ବ୍ୟୁରୋ : ଓଡିଶାରେ ବଦଳିପାରେ ରାଜନୈତିକ ସମୀକରଣ । ପରସ୍ପରର ଆଦର୍ଶଗତ ବିରୋଧୀ ଜିଲ୍ଲା ସ୍ତରରେ ହୋଇପାରନ୍ତି ଏକାଠି । ୫ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାକୁ ହେଲେ ଆବଶ୍ୟକ ପଡୁଛି ମେଂଟ । ବିଜେଡି, ବିଜେପି, କଂଗ୍ରେସ କିଏ ଧରିବ କାହା ହାତ ? ତାକୁ ନେଇ ରୋଚକ ସ୍ଥିତିରେ ଗାଁ ରାଜନୀତି ।

ଗଜପତି : ଏଠି ରହିଛି ମୋଟ୍ ୧୪ଟି ଜିଲ୍ଲା ପରିଷଦ ଆସନ । ଯେଉଁଥିରେ କଂଗ୍ରେସ ଖାତାକୁ ଯାଇଛି ୭ଟି, ବିଜେପି ପାଇଛି ୪ଟି ଏବଂ ବିଜେଡି ହାତରେ ରହିଛି ୩ଟି ଜିଲ୍ଲା ପରିଷଦ । ଜିଲ୍ଲା ପରିଷଦ ଗଠନ ପାଇଁ ଏଠି ମ୍ୟାଜିକ୍ ନମ୍ବର ହେଉଛି ୮ । ନିର୍ଣ୍ଣାୟକ ଭୂମିକାରେ ରହିଛି କଂଗ୍ରେସ । ଜିଲ୍ଲା ପରିଷଦ ଗଠନ କରିବାକୁ ହେଲେ କଂଗ୍ରେସକୁ ଗୋଟିଏ ଆସନ ପାଇଁ ବିଜେପି ହାତ ଧରିବାକୁ ହେବ ନହେଲେ ବିଜେଡିର ସାହାରା ନେବାକୁ ହେବ ।

କନ୍ଧମାଳ : ଏଠି ମୋଟ୍ ଜିଲ୍ଲା ପରିଷଦ ଆସନ ହେଉଛି-୧୮ । ଏଠି ୯ଟି ଆସନ ବିଜେଡି ପାଇଥିବା ବେଳେ ବିଜେପି ଓ କଂଗ୍ରେସ ପାଇଛନ୍ତି ୪ଟି ଲେଖାଏଁ ଆସନ ପାଇଛନ୍ତି । ଅନ୍ୟାନ୍ୟ ଦଳ ପାଖକୁ ଯାଇଛି ଗୋଟିଏ ଆସନ । ମ୍ୟାଜିକ୍ ନମ୍ବର ହେଉଛି ୧୦ । ସଂଖ୍ୟାଧିକ ଦଳ ଭାବେ କିପ୍ଲେୟାର ହେଉଛି ଶାସକ ବିଜେଡି । ଅନ୍ୟାନ୍ୟ ଦଳର ଗୋଟିଏ ପ୍ରାର୍ଥୀଙ୍କୁ ନିଜ ସପକ୍ଷରେ ରଖି ଜିଲ୍ଲା ପରିଷଦ ଗଠନ କରିବାକୁ ଉଦ୍ୟମ କରିବ ବିଜେଡି ।

ନବରଙ୍ଗପୁର : ମୋଟ୍ ୨୬ଟି ଜିଲ୍ଲା ପରିଷଦ ଆସନ ଭିତରୁ ବିଜେଡି ୧୧ଟି ଆସନ ପାଇଥିବା ବେଳେ ବିଜେପି ୭ ଏବଂ କଂଗ୍ରେସ ପାଇଛି ୮ଟି ଆସନ । ମ୍ୟାଜିକ୍ ନମ୍ବର ରହିଛି ୧୪ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଆଗରେ ଥିଲେ ବି ଏଠି କିଛି ବି ହୋଇପାରେ । କାହିଁକି ନା’ କଂଗ୍ରେସ ଓ ବିଜେପି ବୁଝାମଣା ହେଲେ ବି ମ୍ୟାଜିକ୍ ନମ୍ବର ଛୁଇଁଯିବ । ଏମିତିକି ପୂର୍ବତନ ନବରଙ୍ଗପୁର ସାଂସଦ ଏମିତି ଏକ ଇସାରା ବି ଦେଇ ସାରିଛନ୍ତି ।

ରାୟଗଡ଼ : ଏଠିବି କୌଣସି ଦଳକୁ ମିଳିପାରି ନାହିଁ ସ୍ପଷ୍ଟ ବହୁମତ । ମୋଟ୍ ୨୨ଟି ଆସନରୁ ବିଜେଡି ୭, ବିଜେପି-୪ ଏବଂ କଂଗ୍ରେସ ପାଇଛି ୧୧ଟି ଆସନ । ଏଠି ମ୍ୟାଜିକ୍ ନମ୍ବର ରହିଛି ୧୨ । ଜିଲ୍ଲା ପରିଷଦ ଗଠନ କରିବାକୁ କଂଗ୍ରେସ ବିଜେପିର ହାତ ଧରିବା ନା’ ବିଜେଡିକୁ ନିଜର କରିବ । ନା’ ଆଉ କିଛି ଭିତିରିଆ ରାସ୍ତା ଆପଣାଇବ କଂଗ୍ରେସ, ତା ଉପରେ ଏବେ ପୁରା ଜିଲ୍ଲାବାସୀଙ୍କ ନଜର ।

ସୁନ୍ଦରଗଡ଼ : ଏଠି ମୋଟ୍ ୩୫ଟି ଜିଲ୍ଲା ପରିଷଦ ଆସନରୁ ୧୪ଟି ଆସନ ବିଜେଡି, ୧୩ଟି ଆସନ ବିଜେପି ଏବଂ ୫ଟି ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ ହାତକୁ ଯାଇଛି । ମ୍ୟାଜିକ୍ ନମ୍ବର ରହିଛି ୧୮ । ନୀତିଗତ ପାର୍ଥକ୍ୟ ଭୁଲି ଏଠି ବୁଝାମୁଣା ହେଲେ ଯାଏଁ ଗଠନ ହୋଇପାରିବ ଜିଲ୍ଲା ପରିଷଦ ।

ଆଉ ଏହାରି ଭିତରେ ସମସ୍ତଙ୍କ ନଜର, ରାଜଧାନୀର ରାଜନୀତିକୁ ଭୁଲି ତୃଣମୁଳ ସ୍ତରରେ କିଏ କାହାର ହାତ ଧରୁଛି, ନା’ ଘୋଡା ବେପାର ଭଳି ଭିତିରି କାରବାର ହେଉଛି ।