କେମିତି ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ? ଯାଜପୁର ଭାଗବତପୁର ସ୍କୁଲରେ ଗୋଟିଏ ଗୃହରେ ପାଠପଢା ସହ ଚାଲିଛି ରୋଷେଇ

153

କନକ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି ଓ ଡ୍ରପ ଆଉଟ ସଂଖ୍ୟା ହ୍ରାସ ଲକ୍ଷ୍ୟରେ ସାରା ଦେଶରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ ଯୋଜନା । କିନ୍ତୁ ଏହି ଯୋଜନାରେ ଅନେକ ସମୟରେ ତ୍ରୁଟି ଦେଖାଦେବା ସହ ନିମ୍ନ ମାନର ଖାଦ୍ୟ ଓ ଅସ୍ୱାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ତିଆରି ହେଉଥିବା ଅଭିଯୋଗ ଆସୁଛି । ନିକଟରେ ଅସ୍ୱାସ୍ଥ୍ୟକର ପରିବେଶ ଓ ବିପଦପୂର୍ଣ୍ଣ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ଖାଦ୍ୟ କମିଶନର । କମିଶନରଙ୍କ ତାଲିକାରେ ରହିଛି ଯାଜପୁର ଭାଗବତପୁର ପ୍ରାଥମିକ ବିଦ୍ୟାଳୟର ନାଁ । ଯେଉଁଠି ନା ଅଛି ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାଁ ଅଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ରୋଷେଇ ଘର ।

ନିରାପଦ ନୁହେଁ ମଧ୍ୟାହ୍ନ ଭୋଜନ । ଖାଦ୍ୟ କମିଶନ ସରକାରଙ୍କୁ ଦେଇଥିବା ତାଲିକାରେ ଅଛି ଯାଜପୁରର ଭାଗବତପୁର ପ୍ରାଥମିକ ବିଦ୍ୟାଳୟ । ରୋଷେଇ ଘର ନଥିବାରୁ ଶ୍ରେଣୀ ଗୃହରେ ପ୍ରସ୍ତୁତ ହୁଏ ଖାଦ୍ୟ ଓ ସେଇଠି ହିଁ ଖାଆନ୍ତି ଛାତ୍ରଛାତ୍ରୀ । ରୋଷେଇ ସାମଗ୍ରୀ ରଖିବା ପାଇଁ ଷ୍ଟୋର ରୁମ୍ ମଧ୍ୟ ନାହିଁ । ସମସ୍ୟା ସଂପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଦୁଇଟି ଗୃହରେ ୫ଟି ଶ୍ରେଣୀର ପାଠପଢା ହେଉଥିବାରୁ ଅସୁବିଧାର ସମ୍ମୁଖିନ ହୁଅନ୍ତି ଛାତ୍ରଛାତ୍ରୀ । କେବଳ ଏତିକି ନୁହେଁ ରାସ୍ତାର ଗୋଟିଏ ପଟେ ସ୍କୁଲ ଥିବାବେଳେ ଅନ୍ୟପଟେ ରହିଛି ଶୌଚାଳୟ । ଶୌଚ ପାଇଁ ରାସ୍ତା ପାରି ହୁଅନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ସମସ୍ୟା ନେଇ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକଙ୍କ କହିବା କଥା ହେଲା, ମଧ୍ୟାହ୍ନ ଭୋଜନ ଠିକ୍ ଠାକ ଚାଲିଛି ତେବେ ସ୍କୁଲ ପାଇଁ ଆବଶ୍ୟକ ଜମି ପାଇଁ ଉଚ୍ଚ କର୍ତୁପକ୍ଷଙ୍କୁ ଅବଗତ କରାଯାଇଛି । ଭିତ୍ତିଭୂମିର ଅଭାବ ଯୋଗୁଁ ନାନା ସମସ୍ୟା ଦେଇ ଗତିକରୁଛି ସ୍କୁଲ । ସେପଟେ ଏହି ସମସ୍ୟା ଯୋଗୁଁ ପ୍ରତିବର୍ଷ ସ୍କୁଲରେ ଛାତ୍ରଙ୍କ ସଂଖ୍ୟା କମୁଛି ।