ବନ୍ଦୀ ବନାଇଲା ବନ୍ୟା ! କେନ୍ଦ୍ରାପଡ଼ାରେ ଅଭାବନୀୟ ସ୍ଥିତି, ୧୫ଟି ଗାଁରେ ପଶିଲା ପାଣି

28

କନକ ବ୍ୟୁରୋ : ବ୍ରାହ୍ମଣୀର ବନ୍ୟା ଜଳରେ ବୁଡିଲା ଘର । ଗାଁ ଭିତରେ ବୋହୁଛି ନଦୀର ପ୍ରଖର ସୁଅ । ଘରଦ୍ୱାର, ମନ୍ଦିର, ସ୍କୁଲ୍ ସବୁ ପାଣି ଭିତରେ । ଚାରିଆଡେ ଖାଲି ପାଣି ଆଉ ପାଣି । ବ୍ରାହ୍ମଣୀ ଆଣିଛି ବିପତ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ପଟାମୁଣ୍ଡାଇ । ବ୍ଲକର ପେଣ୍ଠପାଳ, ସିଂହ ଗାଁ ଓ ଅଳପୁଆ ପଂଚାୟତର ୩୦ ରୁ ଅଧିକ ଗାଁ ଜଳବନ୍ଦୀ । ଆଳି ବ୍ଲକରେ ବି ଚିନ୍ତା ବଢାଇଛି ବ୍ରାହ୍ମଣୀର ବନ୍ୟା ଜଳ । କେଉଁଠି ନଦୀ ବନ୍ଧ ଭାସିଯାଇଛି ତ ଆଉ କେଉଁଠି ସୃଷ୍ଟି ହୋଇଛି ୨୦ ଫୁଟର ଘାଇ । ବ୍ରାହ୍ମଣୀ ସହ ତାଳ ଦେଇ ବଢୁଛି ଖରସ୍ରୋତା ଓ କାଣୀ ନଦୀର ବନ୍ୟା ଜଳ । ଏହାରି ଭିତରେ ଚାଲିଛି ନଇକୂଳିଆ ଲୋକଙ୍କ ଜୀବନଯାତ୍ରା । ଲୋକଙ୍କ ସାହାରା ସାଜିଛି ଡଙ୍ଗା ।

ସେହିପରି ବ୍ରାହ୍ମଣୀର ବନ୍ୟା ଜଳରେ ଉବୁଟୁବୁ ଯାଜପୁର । ଜିଲ୍ଲାର ଧର୍ମଶାଳା ବ୍ଲକ୍ ଇମାମନଗରରେ କଲଭର୍ଟକୁ ଧୋଇନେଇଛି ନଇର ପ୍ରଖର ସ୍ରୋତ । ଫଳରେ ଠପ୍ ହୋଇଯାଇଛି ଗମନାଗମନ । ସେହିପରି ବରୀରେ ସୃଷ୍ଟି ହୋଇଛି ୬୦ ଫୁଟର ଘାଇ । ୧୫ଟି ପଂଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଜେନାପୁର ମୁଖ୍ୟ ରାସ୍ତାରେ ଲହଡି ଭାଂଗୁଛି ୫ ଫୁଟର ପାଣି ।

ଏପଟେ ଭୋଗରାଇରେ ସୁବର୍ଣ୍ଣରେଖାର ବଢି ପାଣିରେ ଶହ ଶହ ଲୋକ ଜଳବନ୍ଦୀ । ଘରେ ଘରେ ପାଣି ପଶିଛି, ଗାଁରେ ବିଜୁଳି ନାହିଁ । ଏହାରି ଭିତରେ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଂଟା ଭିତରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଯାହା ଫଳରେ ନଦୀ ଅଧିକ ଫୁଲିବା ଆଶଙ୍କା ରହିଛି ।